ଆଜିଠୁ ଅହିଂସା ରଥର ଗଞ୍ଜାମ ଜିଲ୍ଲା ପରିକ୍ରମା

ଛତ୍ରପୁର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବର ଠାରେ ଅହିଂସା ରଥ ପରିକ୍ରମା ଉଦ୍‌ଘାଟନ କରିଥିଲେ। ଏଥି ଅନ୍ତର୍ଗତ ଦୁଇଟି ଅହିଂସା ରଥ ସାରା ରାଜ୍ୟ ପରିକ୍ରମା କରୁଛି। ଗଜପତି ଜିଲ୍ଲା ପରିକ୍ରମା ସାରି ଗୁରୁବାରରୁ ଏହି ଦୁଇ ରଥ ଗଞ୍ଜାମ ଜିଲ୍ଲା ପରିକ୍ରମା ଆରମ୍ଭ କରିବ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ରଥଦ୍ଵୟ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଓ ସହର ବୁଲିବ। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର କରିବ। ଏହି ରଥ ଗଞ୍ଜାମ ଜିଲ୍ଲାରେ ଯେପରି ଶାନ୍ତିଶୃଙ୍ଖଳାର ସହିତ ପରିଭ୍ରମଣ କରିବ, ବିଭିନ୍ନ କାର୍ଯ୍ୟକ୍ରମ ହେବ ସେନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ହୋଇଛି। ଏକାଧିକ ପ୍ରସ୍ତୁତି ବୈଠକ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଆୟୋଜିତ ହୋଇ ରଥକୁ ସ୍ବାଗତ ପର୍ବର ରୂପରେଖ ନିର୍ଦ୍ଧାରିତ କରାଯାଇଛି।

ଗଜପତି ଜିଲ୍ଲାରୁ ଆସୁଥିବା ରଥ ଦୁଇଟିକୁ ଗୁରୁବାର ତପ୍ତପାଣି ଠାରେ ସ୍ବାଗତ କରିବ ଗଞ୍ଜାମ ଜିଲ୍ଲା ପ୍ରଶାସନ। ସେହିଦିନ ଗୋଟିଏ ଅହିଂସା ରଥ ଦିଗପହଣ୍ଡି, ଶେରଗଡ଼ ଓ ଅନ୍ୟଟି ଚିକିଟି, ପାତ୍ରପୁର ଭ୍ରମଣ କରିବ। ୨୪ ତାରିଖ ଦିନ ହିଞ୍ଜିଳିକାଟୁ, ଆସିକା ଏବଂ ଧରାକୋଟ, ଅନ୍ୟ ରଥଟି ବ୍ରହ୍ମପୁର ମହାନଗର ପରିକ୍ରମା କରିବ। ୨୫ ତାରିଖରେ ଗୋଟିଏ ରଥ ସୋରଡ଼ା, ବେଲଗୁଣ୍ଠା, ଭଞ୍ଜନଗର ଏବଂ ଅନ୍ୟ ରଥଟି କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା ଏବଂ ଗୋପାଳପୁର ଗସ୍ତ କରିବ। ୨୬ ତାରିଖରେ ଜଗନ୍ନାଥପ୍ରସାଦ, ବୁଗୁଡ଼ା, ପୋଲସରା ଏବଂ ଦ୍ବିତୀୟ ରଥଟି ପୁରୁଷୋତ୍ତମପୁର ଓ ଛତ୍ରପୁର ପରିଭ୍ରମଣ କରିବ। ଶେଷ ଦିନ କବିସୂର୍ଯ୍ୟନଗର ଓ ବେଗୁନିଆପଡ଼ା ଏବଂ ଅନ୍ୟ ରଥଟି ଗଞ୍ଜାମ, ରମ୍ଭା ଏବଂ ଖଲ୍ଲିକୋଟ ଗସ୍ତ ବୁଲିବ।

ଅହିଂସା ରଥ ଗସ୍ତ ସମୟରେ ଜିଲ୍ଲାର ସମସ୍ତ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଓ ସଚେତନତା ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ସମ୍ବର୍ଦ୍ଧିତ ହେବେ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତରଦାୟାଦ। ଗାନ୍ଧିଜୀଙ୍କ ଆଦର୍ଶ, ନୀତି ଏବଂ ସ୍ବାଧୀନତା ଆନ୍ଦୋଳନରେ ଗଞ୍ଜାମ ଜିଲ୍ଲାର ଅବଦାନ ସମ୍ପର୍କିତ ‘ଅହିଂସା ସାରଥୀ- ମୁକ୍ତି ପଥର ଯାତ୍ରୀ’ ନାଟକ ପରିବେଷଣ ସାଙ୍ଗକୁ ‘ଗଞ୍ଜାମର ଶହୀଦ ସଂଗ୍ରାମୀ’ ପୁସ୍ତକ ମଧ୍ୟ ଲୋକାର୍ପଣ କରାଯିବ। ଜିଲ୍ଲାର ବିଶିଷ୍ଟ ଲେଖକଙ୍କ ଠାରୁ ସଂଗୃହୀତ ଲେଖା ଏଥିରେ ସ୍ଥାନ ପାଇଛି। ବ୍ରହ୍ମପୁର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଦ୍ୱାରା ୨୦ ଜଣ ବୁଣାକାର ହିତାଧିକାରୀଙ୍କୁ ଚରଖା ଦିଆଯିବ। ଜିଲ୍ଲାପାଳ ପରିଡ଼ା କହିଛନ୍ତି ଯେ ଅହିଂସା ରଥ ଆମ ସମସ୍ତଙ୍କ ସ୍ବାଭିମାନ । ଏହାକୁ ଉଚିତ ସମ୍ମାନ ପ୍ରଦାନ ସହ ଏହାର ସୁରକ୍ଷାକୁ ଜିଲ୍ଲା ପ୍ରଶାସନ ନିଶ୍ଚିତ କରିବ।

ରଥକୁ ପ୍ରତିଟି ସ୍ଥାନରେ ମହାଆଡ଼ମ୍ବରରେ ସ୍ବାଗତ କରାଯିବା ସହ ସୂଚାରୁରୂପେ ପରିକ୍ରମା ସକାଶେ ଜିଲ୍ଲା ପ୍ରଶାସନରୁ ଆରମ୍ଭ କରି ବ୍ଲକ୍ ଓ ସହରାଞ୍ଚଳ ପ୍ରଶାସନ ତତ୍ପର ରହିଛି। ରଥ ପରିକ୍ରମା ସମୟରେ ଦେଶମାତୃକା ନିମନ୍ତେ ଲଢ଼ିଥିବା ଶହୀଦ ବୀରମାନଙ୍କ ପ୍ରତି ଜିଲ୍ଲାବାସୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାକୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛି ପ୍ରଶାସନ। ସ୍ବାଧୀନତାର ସ୍ମାରକୀ ବହନ କରୁଥିବା ଏହି ରଥ ରାଜ୍ୟର ବୀର ସଂଗ୍ରାମୀଙ୍କ ବଳିଦାନ ବାର୍ତ୍ତା ପ୍ରଚାର କରିବ। ଉଲ୍ଲେଖଯୋଗ୍ୟ କି ୨୪ ତାରିଖ ଦିନ ବ୍ରହ୍ମପୁରରେ ସ୍ବାଧୀନତା ସଂଗ୍ରାମୀଙ୍କ ଜୀବନ ସହ ସଂଶ୍ଳିଷ୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପରିଭ୍ରମଣ କରିବ। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବାକୁ ଯୋଜନା ହୋଇଛି। ବ୍ରହ୍ମପୁର ସମେତ ଗୋପାଳପୁର, ଭଞ୍ଜନଗର ଓ ଛତ୍ରପୁର ଠାରେ ମେଗା କାର୍ଯ୍ୟକ୍ରମ ହେବ। ରଥକୁ ସ୍ଵାଗତ ଅବସରରେ ବିଶାଳ ଶୋଭାଯାତ୍ରାରେ ବହୁ ଜନସାଧାରଣ, ଲୋକପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି, ବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ମକର୍ତ୍ତା, ଛାତ୍ରଛାତ୍ରୀ, ମହିଳା ଏସ୍ଏଚ୍‌ଜି, ଅଙ୍ଗନବାଡି କର୍ମୀ ଯୋଗଦେବେ। ୨୮ ତାରିଖ ଦିନ ଗଞ୍ଜାମରୁ ଖୋର୍ଦ୍ଧା ଜିଲ୍ଲାକୁ ଯିବ ଅହିଂସା ରଥ।

Comments are closed.