ପକ୍ଷୀ ସୁରକ୍ଷାର ଶପଥ : ଗୋବିନ୍ଦପୁର ରାଜ୍ୟର ପ୍ରଥମ ‘ପକ୍ଷୀଗ୍ରାମ’

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଇତିମଧ୍ୟରେ ରାମସାର୍ ସାଇଟରେ ଅନ୍ତର୍ଭୁକ୍ତ ହୋଇସାରିଛି। ଆଉ ଏହାର ଜୈବ ବିବିଧତାର ସୁରକ୍ଷା ପାଇଁ ରାଜ୍ୟ ସରକାର ବେଶ ତତ୍ପରତା ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ହୀରାକୁଦକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ଅଭିନବ ପଦକ୍ଷେପ ନେଇଛି। ହୀରାକୁଦ ଜଳଭଣ୍ଡାର କୂଳରେ ଥିବା ବରଗଡ ଜିଲ୍ଲାର ଅମ୍ବାଭୋନା ବ୍ଲକର ୩ଟି ଗାଁକୁ ପକ୍ଷୀ ଗ୍ରାମ ଭାବେ ପରିଣତ କରିବାକୁ ଯାଉଛି। ଏଥିରୁ ଗୋବିନ୍ଦପୁର ଗାଁକୁ ରାଜ୍ୟର ପ୍ରଥମ ପକ୍ଷୀଗ୍ରାମ ଭାବେ ନିର୍ମାଣ କରିବାକୁ ଗତକାଲି ଠାରୁ ଆନୁଷ୍ଠାନିକ ପ୍ରକ୍ରିୟା ଶୁଭାରମ୍ଭ ହୋଇଛି।

ହୀରାକୁଦ ଜଳଭଣ୍ଡାର କୂଳର ଥିବା ଆର୍ଦ୍ରଭୂମିର ସୁରକ୍ଷା ସହିତ ଏଠାକୁ ଆସୁଥିବା ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ହୀରାକୁଦ ବନ୍ୟପ୍ରାଣୀ ବିଭାଗ ନେତୃତ୍ବରେ ଗୋବିନ୍ଦପୁର ଗ୍ରାମବାସୀ ଶପଥ ନେଇଛନ୍ତି। ଏନେଇ ଗତକାଲି ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାଶଙ୍କ ଉପସ୍ଥିତିରେ ଗ୍ରାମବାସୀ ଭଜନ କୀର୍ତ୍ତନ ସହ ଶୋଭାଯାତ୍ରାରେ ବାହାରି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପକ୍ଷୀଙ୍କ ସୁରକ୍ଷା ପାଇଁ ଶପଥ ନେଇଛନ୍ତି। ନିର୍ଭୟରେ ପକ୍ଷୀଙ୍କ ଚଳପ୍ରଚଳ ପାଇଁ ଅଣ୍ଟା ଭିଡିଛନ୍ତି। ଯାହାକୁ ନେଇ ରାଜ୍ୟରେ ପ୍ରଥମ ଥର ଆରମ୍ଭ ହୋଇଛି ‘ପକ୍ଷୀଗ୍ରାମ’। ଗାଁର ପ୍ରତି ଘରର କାନ୍ଥରେ ପକ୍ଷୀଙ୍କ ଫଟୋ ଅଙ୍କା ଯାଉଛି। ହୀରାକୁଦକୁ ଆସୁଥିବା ୫୦ଟି ପ୍ରଜାତିର ପକ୍ଷୀଙ୍କ ଫଟୋ ସହିତ ସେମାନଙ୍କ ସଂପର୍କରେ ସୂଚନା ରହିବ। ସ୍ଥାନୀୟ ଚିତ୍ରକରଙ୍କ ଦ୍ବାରା ଏହାକୁ ଅଙ୍କା ଚାଲିଛି। ଏହାକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ଯରେ ବିଦେଶାଗତ ପକ୍ଷୀଙ୍କ ସଂପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ।

କେବଳ ଗୋବିନ୍ଦପୁର ନୁହେଁ, ରାମଖୋଲ୍ ଓ ତାମଦେଇ ମଧ୍ୟ ପକ୍ଷୀଗ୍ରାମ ତାଲିକାରେ ସାମିଲ ହୋଇଛି। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଉଦ୍ୟମ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ହୀରାକୁଦ ନଦୀବନ୍ଧ କୂଳରେ ଆରମ୍ଭ ହେବାକୁ ଯାଉଛି ନୂଆ ଅଧ୍ୟାୟ।

ଚିଲିକା ଓ ଭିତରକନିକା ପରେ ହୀରାକୁଦ ନଦୀବନ୍ଧ ଅଞ୍ଚଳକୁ ‘ରାମସାର ସାଇଟ୍’ ଭାବେ ଘୋଷଣା କରାଯାଇଛି। ୭୪୩ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ହୀରାକୁଦ ଜଳଭଣ୍ଡାରକୁ ପ୍ରତିବର୍ଷ ସୁଦୂର ସାଇବେରିଆ ଅଞ୍ଚଳରୁ ଲକ୍ଷାଧିକ ସଂଖ୍ୟାରେ ପକ୍ଷୀ ଆସିଥାନ୍ତି। ଚଳିତବର୍ଷ ୨ ଲକ୍ଷରୁ ଅଧିକ ପକ୍ଷୀ ଗଣନା କରାଯାଇଥିଲା। ଯେଉଥିରେ ଶହେରୁ ଅଧିକ ପ୍ରଜାତିର ପକ୍ଷୀ ସାମିଲ ଥିଲେ। ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଗୋବିନ୍ଦପୁର, ରାମଖୋଲ୍ ଏବଂ ତାମଦେଇ ଗାଁର ଲୋକ ପକ୍ଷୀଙ୍କ ସୁରକ୍ଷା ପାଇଁ ଆଜି ଶପଥ ନେଇଥିବା କହିଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାଶ। ଏହାସହ ସେ କହିଛନ୍ତି, ଏହି ୩ଟି ଗାଁର ସମସ୍ତ ଲୋକଙ୍କ ଜୀବିକା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରେ। ତେଣୁ ତାଙ୍କ ଜୀବନ ଜୀବିକା ବଞ୍ଚିବା ସହ ପକ୍ଷୀଙ୍କ ସୁରକ୍ଷା କରିବାକୁ ସେମାନେ ହାତ ବଢ଼ାଇଛନ୍ତି। ଯାହାର ଆରମ୍ଭ ଆଜିଠାରୁ ହୋଇଛି।

ପ୍ରତିବର୍ଷ ପକ୍ଷୀ ଦେଖିବାକୁ ଏଠାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଦେଶୀ ଡଙ୍ଗାର ମଜା, ପ୍ରାକୃତିକ ପରିବେଶ ଓ ପକ୍ଷୀ ଦେଖିବାର ସୁଯୋଗ ନେଉଛନ୍ତି। ଏହାସହ ବହୁ ସଂଖ୍ୟାରେ ପର୍ଯ୍ୟଟକ ବଣଭୋଜି ପାଇଁ ମଧ୍ୟ ଆସୁଛନ୍ତି। ତେଣୁ ଆଗକୁ ବଣଭୋଜି ପାଇଁ ପିକନିକ୍ ସ୍ପଟର ବିକାଶ କରାଯିବ। ସେମାନଙ୍କୁ ସଚେତନ କରିବା ଓ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବାରଣ କରିବାର ଦାୟିତ୍ବ ନେଇଛନ୍ତି ସ୍ଥାନୀୟ ଲୋକେ। ଫଳରେ ପ୍ରାକୃତିକ ପରିବେଶ ସୁରକ୍ଷିତ ରହିପାରିବ ବୋଲି ଡିଏଫ୍ଓ କହିଛନ୍ତି।

Comments are closed.