ସୁନା ବ୍ୟବସାୟୀଙ୍କୁ ଡରାଇ ଲାଞ୍ଚ ନେଉଥିବା ଆୟକର ଅଧିକାରୀଙ୍କୁ ବାନ୍ଧିଲା ସିବିଆଇ

ଖୋର୍ଦ୍ଧା – ଆୟକର ଅଧିକାରୀଙ୍କୁ ଧରିଛି ସିବିଆଇ । ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଆୟକର ଅଧିକାରୀଙ୍କୁ ଧରିଛି ସିବିଆଇ। ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ଗିରଫ କରିଛି ସିବିଆଇ। ଖୋର୍ଦ୍ଧା ଶ୍ରୀରାମ ନଗର ସ୍ଥିତ ତାଙ୍କ ବାସଭବନରେ ଚଢାଉ କରି ଭୁବନେଶ୍ବର ସିବିଆଇ ଟିମ୍‌ ସୁମନ ଲାଞ୍ଚ ନେଉଥିବା ୫ ଲକ୍ଷ ଟଙ୍କା ଓ ସୁନାଚେନ୍‌ ଜବତ କରିବା ସହ ସୁମନଙ୍କୁ ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟକୁ ଉଠାଇ ଆଣି ପଚରାଉଚୁରା କରୁଛି।
ସୂଚନା ଅନୁସାରେ ଖୋର୍ଦ୍ଧାର ମାରୱାଡି ପଟିରେ ଦେବେନ୍ଦ୍ର ସାହୁଙ୍କ ଶାନ୍ତି ଜୁଏଲର୍ସ ରହିଛି। ମାଲିକଙ୍କୁ ଖୋର୍ଦ୍ଧା ଆୟକର ଅଧିକାରୀ ସୁମନ କୁମାର ସାହୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଜୁଏଲର୍ସ ମାଲିକଙ୍କ ଆୟରେ ଗଡବଡ ରହିଛି, ଏଥିପାଇଁ ଦିଲ୍ଲୀରେ ଥିବା ଆୟକର ବିଭାଗକୁ ଜଣାଇବେ , ତାହା ପରେ ତାଙ୍କ ସୁନା ଦୋକାନ ବନ୍ଦ ହେବା ସହ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯିବ ବୋଲି ଆୟକର ଅଧିକାରୀ ସୁମନ କୁମାର ସାହୁ କହିଥିଲେ। ୪୦ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ମାମଲାର ରଫାଦଫା କରିବେ ବୋଲି କହିଥିଲେ। ତାଙ୍କ କହିବା ମୁତାବକ ସେ ୧୦ ଲକ୍ଷ ଟଙ୍କା ପୂର୍ବରୁ ନେଇଥିଲେ । ଆଜି ଆଉ ୫ ଲକ୍ଷ ଟଙ୍କା ନେଉଥିବା ବେଳେ ସିବିଆଇ ମାଡି ବସିଥିଲା। ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ସୁମନ ସୁନ୍ଦର ସାହୁଙ୍କୁ ଭୁବନେଶ୍ବର ସିବିଆଇ ଅଫିସରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି।

Comments are closed.