ସୁନ୍ଦରଗଡ଼ ଜିଲ୍ଲାର ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଛାତ୍ରଛାତ୍ରୀଙ୍କ ସହ କଥା ହେଲେ

ସୁନ୍ଦରଗଡ଼ – ସ୍କୁଲ ପିଲାଙ୍କ ସହ କଥାହେଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ସୁନ୍ଦରଗଡର ବିଭିନ୍ନ ସ୍କୁଲର ରୂପାନ୍ତରିକରଣ କାର୍ଯ୍ୟର ସମୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଛନ୍ତି ଫାଇଭ୍-ଟି ସଚିବ । ଜିଲ୍ଲାର ୧୩ଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ସେ ସିଧାସଳଖ କଥାବାର୍ତ୍ତା କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ନିଜର ଭବିଷ୍ୟତର ସ୍ୱପ୍ନ ବିଷୟରେ କହିଥିଲେ ।

୫-ଟି ସଚିବ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।‘‘ସ୍କୁଲ ହେଉଛି ଆମର ମା’ ଭଳି । ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଭିତ୍ତିଭୂମି ସହ ଏହାର ପରିବେଶର ଯତ୍ନ ନେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ । ଏହି କାମରେ ପୁରାତନ ଛାତ୍ରଛାତ୍ରୀ, ଜନସାଧାରଣ, ପଞ୍ଚାୟତ ପ୍ରତିନିଧିମାନେ ସହଯୋଗ କରିବା ଦରକାର ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି ।

ସମସ୍ତ ରୂପାନ୍ତରିତ ହାଇସ୍କୁଲର ଆବଶ୍ୟକ ଜମି ପଟ୍ଟା ପ୍ରଦାନ ସହ ସ୍କୁଲଗୁଡ଼ିକୁ ନିରନ୍ତର ବିଦ୍ୟୁତ ସେବା, ସ୍ଥାୟୀ ରାସ୍ତା ନିର୍ମାଣ ଏବଂ ସ୍କୁଲ ପରିସରରେ ବ୍ୟାପକ ଚାରା ରୋପଣ କରିବା ଲାଗି ୫-ଟି ସଚିବ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୩୮୪ଟି ମଧ୍ୟରୁ ୨୪୭ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପଣ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ପର୍ଯ୍ୟାୟରେ ଲୋକାର୍ପଣ ହେବାକୁ ଥିବା ଅନ୍ୟ ହାଇସ୍କୁଲଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ୫-ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.