ଜିଲ୍ଲା ପରିଷଦ ସଦସ୍ୟ ମୃତ୍ୟୁ ମାମଲା : ରାଜ୍ୟ ଫରେନସିକକୁ ପଠାଗଲା ଧର୍ମେନ୍ଦ୍ରଙ୍କ ମୋବାଇଲ

ଭୁବନେଶ୍ୱର – ପୁରୀ ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁର ତନାଘନା ଚାଲିଛି। ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୋଲିସ । ଏହି ମୋବାଇଲରେ ହିଁ ରହିଥିବା ତଥ୍ୟକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ପୋଲିସ ମୋବାଇଲ୍‌କୁ ଠାବ କରିଥିଲା।

ମୋବାଇଲ୍‌ଟି ଘଟଣାଦିନ ରାତି ୨ଟା ୪୩ ମିନିଟ୍‌ରୁ ସ୍ୱିଚ୍ ଅଫ୍ ଥିବା ପୋଲିସ ସୂଚନା ଦେଇଛି। ଏହି ମୋବାଇଲ୍‌ରେ କି ତଥ୍ୟ ରହିଛି, ସେ ନେଇ ତଦନ୍ତ ଜାରି ରଖିଛି ପୋଲିସ। ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାର ଉପରେ ବି ନଜର ରଖିଛି ପୋଲିସ ।

ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ୧୧ ନମ୍ବର ଜୋନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଥିଲେ ଧର୍ମେନ୍ଦ୍ର ସାହୁ। ଶନିବାର ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଭୁବନେଶ୍ୱର ଲକ୍ଷ୍ମୀବିହାର ସ୍ଥିତ ବାସଭବନରୁ ଉଦ୍ଧାର କରାଯାଇଥିଲା।

Comments are closed.