ଶାରଦୀୟ ଦୁର୍ଗାପୂଜା ନବରାତ୍ରର ଆଜି ପ୍ରଥମ ଦିନ, ଆଜି ଦେବୀଙ୍କୁ ଶୈଳପୁତ୍ରୀ ରୂପରେ ଆରାଧନା କରାଯିବ

ଏହି ନବରାତ୍ରୀ କ’ଣ? :-ନବରାତ୍ରୀ ହେଉଛି ନଅରାତି ଦଶଦିନର ପୂଜା ନବ ଅର୍ଥ ନଅ ବା ନୂଆ ଏବଂ ରାତ୍ରୀ ଅର୍ଥ ରାତି ଅର୍ଥାତ୍ ଯେଉଁ ନଅଟି ରାତ୍ରି ବ୍ୟକ୍ତି ଜୀବନରେ ନୂଆ ଆଶାର ସଞ୍ଚାର କରାଇପାରେ ସେହିଁ ନବରାତ୍ରୀ, “୯” ସଂଖ୍ୟା ହେଉଛି ଶକ୍ତିବାଚକ ସଂଖ୍ୟା କାରଣ ଆମ ଶରୀର ସହିତ ଏହି ସଂଖ୍ୟା ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ମାନବ ଶରୀରରେ ନଅଟି ଦ୍ବାରା ଥାଏ, ଏବଂ ପ୍ରତ୍ୟେକ ଦ୍ବାରରେ ଜଣେ ଜଣେ ଶକ୍ତି ବାସ କରନ୍ତି, ନବଧାଭକ୍ତି , ପ୍ରତ୍ୟେକ ଭକ୍ତିର ଜଣେ ଜଣେ ରକ୍ଷକ ଦେବୀ ରହିଛନ୍ତି ପୁଣି ନବଚକ୍ର, ଯାହାର ନଅଜଣ ଦେବୀ ଅଧୀଷ୍ଠାତ୍ରୀ, ତେଣୁ ଏହି ବ୍ରତର ନାମ ନବରାତ୍ରୀ ।

ଆଜି ଠାରୁ ଆରମ୍ଭ ହେବ ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା। ଆଜି ଦେବୀଙ୍କୁ ଶୈଳପୁତ୍ରୀ ରୂପରେ ଆରାଧନା କରାଯିବ। ନବରାତ୍ରିର ପ୍ରଥମ ଦିନ ପୂଜା-ପାଠରେ ଅନେକ କଥା ପ୍ରତି ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ମାତା ଶୈଳପୁତ୍ରୀଙ୍କ ପୂଜା ଦ୍ବାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା ଶୈଳପୁତ୍ରୀଙ୍କୁ ଗାଈର ଶୁଦ୍ଧ ଘିଅର ଭୋଗ ଲଗାଇବା ଉଚିତ୍। ଏହା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ଏବଂ ମାନ ସମ୍ମାନ ମିଳିଥାଏ। ଏହି ଅବସରରେ ଶନିବାର ନବରାତ୍ରିର ପ୍ରଥମ ଦିନ ମା’ଙ୍କ ଶୈଳପୁତ୍ରୀ ସ୍ବରୂପଙ୍କ ଉପାସନା ହୋଇଥାଏ। ହିମାଳୟଙ୍କ ପୁତ୍ରୀ ହେବାର କାରଣ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ପୂର୍ବ ଜନ୍ମରେ ତାଙ୍କ ନାଁ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କ ଅପମାନ କରିଥିଲେ ଏହି କାରଣ ଯୋଗୁଁ ସତୀ ନିଜକୁ ଯଜ୍ଞକୁଣ୍ଡରେ ଭସ୍ମ କରି ଦେଇଥିଲେ।

ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କ ବିଗ୍ରହ କିମ୍ବା ଚିତ୍ରକୁ କାଠର ପଟାରେ ଲାଲ କିମ୍ବା ଧଳା ବସ୍ତ୍ର ବିଛାଇ ସ୍ଥାପିତ କରନ୍ତୁ। ମା ଶୈଳପୁତ୍ରୀଙ୍କୁ ଧଳାବସ୍ତୁ ଅତ୍ୟନ୍ତ ପ୍ରିୟ। ଏହି କାରଣରୁ ମା ଶୈଳପୁତ୍ରୀଙ୍କୁ ଧଳା ବସ୍ତ୍ର କିମ୍ବା ଧଳା ଫୁଲ ଅର୍ପଣ କରନ୍ତୁ ଏବଂ ଧଳା ବର୍ଫି ଭୋଗ ଲଗାନ୍ତୁ। ମା ଶୈଳପୁତ୍ରୀଙ୍କ ଆରାଧନା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ ଏବଂ କନ୍ୟାଙ୍କୁ ଉତ୍ତମ ବର ମିଳିଥାଏ। ନବରାତ୍ରିର ପ୍ରଥମ ଦିନ ଉପାସନାରେ ସାଧକ ନିଜ ମନକୁ ମୂଳାଧାର ଚକ୍ରରେ ସ୍ଥିତ କରିଥାନ୍ତି। ଶୈଳପୁତ୍ରୀଙ୍କ ପୂଜା କରିବା ଦ୍ବାରା ମୂଳାଧାର ଚକ୍ର ଜାଗୃତ ହୋଇଥାଏ ଏବଂ ତାଙ୍କୁ ସିଦ୍ଧିପ୍ରାପ୍ତି ହୋଇଥାଏ।ଜୀବନର ସମସ୍ତକଷ୍ଟ,କ୍ଳେଶ ଏବଂ ନକରାତ୍ମକ ଶକ୍ତି ନାଶପାଇଁ ଗୋଟିଏ ପାନ ପତ୍ରରେ ଲବଙ୍ଗ, ଗୁଆ, ମିଶ୍ରି ରଖି ମା ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ। ମନୋକାମନା ପୂର୍ଣ୍ଣ ହେବ।

Comments are closed.