ମହିଳାଙ୍କ ନେତୃତ୍ୱ ବିକାଶ କରିପାରିଛି ମିଶନ ଶକ୍ତି: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର: : ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଆଜି ଓ୍ବାର୍ଲ୍ଡ ସ୍କିଲ ସେଣ୍ଟରରେ ଆୟୋଜିତ ମହତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କ ଦକ୍ଷତା ବିକାଶ କର୍ମଶାଳାର ଉଦଯାପନୀ ଦିବସରେ ଯୋଗଦେଇ ଶ୍ରୀମତୀ କାର୍ତ୍ତିକେୟନ ରାଜ୍ୟରେ ମିଶନ ଶକ୍ତିର ସଫଳତା ଏବଂ ଆହ୍ଵାନ ସଂପର୍କରେ ଅଧିକାରୀମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ ଓଡିଶା ସରକାରଙ୍କ ପ୍ରମୁଖ ବିକାଶମୂଳକ ପଦକ୍ଷେପ ମଧ୍ୟରୁ ମହିଳା ସଶକ୍ତିକରଣ ଅନ୍ୟତମ । ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସେମାନଙ୍କର ସାମାଜିକ ସଶକ୍ତିକରଣରେ ଯଥେଷ୍ଟ ସହାୟକ ହୋଇଥାଏ । ବିଶେଷ କରି ତୃଣମୂଳସ୍ତରର ମହିଳାମାନେ ନିଷ୍ପତ୍ତି ଗ୍ରହଣରେ ଭାଗନେବା ଆବଶ୍ୟକ । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ନେତୃତ୍ଵ ବିକାଶ ହୋଇପାରିଛି । କୋଭିଡ୍ ସମୟରେ ରାଜ୍ୟର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ଏହାକୁ ପ୍ରମାଣିତ କରିଛନ୍ତି ।

ରାଜ୍ୟ ସରକାର ପାଞ୍ଚ ବର୍ଷ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବସାୟ ପାଇଁ ୫ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି । ସେହିପରି ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲା ସ୍ତରରେ ୫୦୦ ମିଶନ ଶକ୍ତି ବଜାର / ଆଉଟଲେଟ ଆରମ୍ଭ କରାଯିବା ନିମନ୍ତେ ଯୋଜନା କରାଯାଇଛି । ଏତଦ୍‌ବ୍ୟତୀତ ପ୍ରତ୍ୟେକ ବ୍ଲକରେ ମିଶନ ଶକ୍ତି କାଫେ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି କାଫେରେ କାର୍ଯ୍ୟରତ ମହିଳାମାନେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମେନେଜମେଣ୍ଟରେ ତାଲିମ ପାଇଛନ୍ତି । ନୂତନ ଓଡିଶା ଗଠନରେ ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗୀ ଭାବେ ରାଜ୍ୟର ବିକାଶରେ ନେତୃତ୍ଵ ନେବ ବୋଲି ଶ୍ରୀମତୀ କାର୍ତ୍ତିକେୟନ ପ୍ରକାଶ କରିଛନ୍ତି ।

ଏହି କର୍ମଶାଳାରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢୀ ଖାଦ୍ୟର ବିବିଧତା ଏବଂ ଖାଦ୍ୟ ଅପଚୟ ହ୍ରାସ ଉପରେ ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସ୍ଵାସ୍ଥ୍ୟକର , ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି ଗ୍ରାହକଙ୍କ ଆଗ୍ରହ ବଢାଇବା ନିମନ୍ତେ ସଚେତନତା ଅଭିଯାନର ଆବଶ୍ୟକତା ରହିଛି । ମହିଳାମାନଙ୍କ ପାଇଁ କୃଷିଭିତ୍ତିକ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଜରୁରୀ ଅଟେ । ଚାଷ ଜମି ଉପରେ ମହିଳାଙ୍କ ଅଧିକାର ରହିବା ସହ ନିଷ୍ପତ୍ତି ନେବାର କ୍ଷମତା ମଧ୍ୟ ସେମାନଙ୍କର ହାତରେ ରହିବା ଦରକାର । ଏହା ଦ୍ଵାରା କୃଷି କ୍ଷେତ୍ରରେ ମଧ୍ୟ ମହିଳା ସଶକ୍ତିକରଣ ହୋଇପାରିବ । ଅକ୍ଷୟ ଶକ୍ତିର ବ୍ୟବହାର , ଡିଜିଟାଲ ମାଧ୍ୟମରେ କୃଷି ସୂଚନା ଏବଂ ସେବାର ସମୟାନୁବର୍ତ୍ତୀ ବିତରଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ସିଟିଟିସି , ସିପେଟ୍‌ , ଓର୍ମାସ୍ , ଅରେଞ୍ଜ କ୍ରସ୍ ଏବଂ ଟାଟା ଷ୍ଟ୍ରାଇଭ୍ ସଂସ୍ଥାର ପ୍ରତିନିଧିମାନେ ପ୍ରଦାନ କରୁଥିବା ଦକ୍ଷତା ବିକାଶ ତାଲିମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଏହି ୨୯ ଜଣ ଅଧିକାରୀ ୪ ଗୋଟି ଦଳରେ ବିଭକ୍ତ ହୋଇ ଆଗାମୀ ବର୍ଷ ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ  ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ , ନିୟୋଜନ ନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲା ନିୟୋଜନ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.