ବିଜନ କୁମାର ମହାପାତ୍ର
ଲତା ମଙ୍ଗେସକର । କୋକିଳ କଣ୍ଠୀ, ଭାରତର ବୁଲବୁଲ୍ ଓ ସୁର ସାମ୍ରାଜ୍ଞୀ । ଚଳଚ୍ଚିତ୍ର ପାଶ୍ୱର୍ଗାୟନର ଅପ୍ରତିଦ୍ୱନ୍ଦୀ ସାମ୍ରାଜ୍ଞୀ, ଯାହାଙ୍କ ସୁଲଳିତ ସ୍ୱର ଦଶକ ଦଶକ ଧରି ଶ୍ରୋତାଙ୍କୁ ମତୁଆଲା କରିଆସିଛି, ବଶୀଭୂତ କରିଛି । ସେହି ସ୍ୱର ଲୋକଙ୍କୁ ହସାଇଛି, ଆଖିରେ ଲୁହ ଦେଇଛି ଓ ପ୍ରେରଣା ବି ଦେଇଛି । ଲତା ଥିଲେ ସେହି ଗାୟିକା, ଯାହାଙ୍କ ବୀର ଯବାନଙ୍କୁ ସମର୍ପିତ ଏକ ଦେଶାତ୍ମବୋଧ ଗୀତ ଜବାହରଲାଲ ନେହେରୁଙ୍କ ଆଖିଲେ ଲୁହ ଭରିଦେଇଥିଲା ।
ସତେ ଯେପରି ମା’ ବୀଣାପାଣି ଲତାଙ୍କ କଣ୍ଠରେ ବିଜେ କରିଥିଲେ । ଭାରତର ସବୁଠାରୁ ଲୋକପ୍ରିୟ ଓ ଆଦରଣୀୟ ଗାୟିକା ଲତା ମଙ୍ଗେସକର, ଯାହାଙ୍କର କି କୌଣସି ତୁଳନା ନାହିଁ । ସେ ଅତୁଳନୀୟ । ଯଥାର୍ଥରେ ସେ ଭାରତରତ୍ନ । ଗୀତର ପ୍ରତିଟି ଶବ୍ଦ ଯେମିତି ଲତାଙ୍କ ସ୍ୱରରେ ଜୀବନ୍ତ ହୋଇ ଉଠୁଥିଲା । କାରଣ ଲତାଙ୍କ ପରି ଗାୟିକା କେବଳ ଥରେ ହିଁ ଜନ୍ମ ନିଅନ୍ତି । ଆଉ କେହି ଦ୍ୱିତୀୟ ଲତା ସୃଷ୍ଟି ହୋଇପାରିବେ ନାହିଁ ।
ସଂଘର୍ଷ, ସାଧନା ଓ ସଫଳତାର ଅନ୍ୟ ନାମ ଥିଲେ କୁମାରୀ ଲତା ଦୀନାନାଥ ମଙ୍ଗେସକର । ଭାରତର ସ୍ୱର କୋକିଳା । ଚିରସବୁଜ ପାଶ୍ୱର୍ଗାୟିକା । ଯାଦୁକରୀ ସ୍ୱରରେ ୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ । ସବୁବର୍ଗର ଶ୍ରୋତାଙ୍କ ପ୍ରିୟ ଗାୟିକା ଲତା ମଙ୍ଗେସକର । ଲତାଙ୍କ ଗୀତ ଶୁଣି କାହାର ଆଖି ଛଳଛଳ ହୋଇ ଉଠୁଥିଲା ତ ସୀମାରେ ସତର୍କ ଭାରତୀୟ ଯବାନଙ୍କୁ ପ୍ରେରଣା ମିଳୁଥିଲା । ସାରା ଜୀବନ ସଂଗୀତ ପ୍ରତି ସମର୍ପିତ ଥିଲେ ସୁର ସାମ୍ରାଜ୍ଞୀ । ୧୯୨୯ ମସିହା ସେପଟେମ୍ବର ୨୮ ତାରିଖରେ ମଧ୍ୟ ପ୍ରଦେଶ ଇନ୍ଦୋରରେ ଏକ ସଂଗୀତପ୍ରେମୀ ପରିବାରରେ ଭୂମିଷ୍ଠ ହୋଇଥିଲେ ଲତା । ମାଆ ଥିଲେ ଶିବନ୍ତୀ ମଙ୍ଗେସକର ଓ ବାପା ଥିଲେ ପଣ୍ଡିତ ଦୀନାନାଥ ମଙ୍ଗେସକର । ରଙ୍ଗମଂଚର ଜଣେ ପ୍ରବୀଣ ଗାୟକ ଭାବେ ବାପା ଦୀନାନାଥଙ୍କ ବେଶ୍ ପ୍ରସିଦ୍ଧି ଥିଲା । ଲତାଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିବା ବେଳେ ପିତା ଦୀନାନାଥ ତାଙ୍କୁ ସଂଗୀତ ଶିଖାଇବା ଆରମ୍ଭ କରିଥିଲେ । ଲତାଙ୍କ ସହ ଭଉଣୀ ଆଶା, ଉଷା ଓ ମୀନା ମଧ୍ୟ ପିତା ଦୀନାନାଥଙ୍କ ଠାରୁ ଛୋଟ ବୟସରେ ସଂଗୀତ ଶିଖିବା ଆରମ୍ଭ କରିଥିଲେ ।
ନିଜର ଈଶ୍ୱର ପ୍ରଦତ୍ତ ଯାଦୁକରୀ ସ୍ୱର, ଜୀବନ୍ତ ଅଭିବ୍ୟକ୍ତି ସଂପର୍କରେ ସର୍ବଦା ଅବଗତ ଥିଲେ ଲତା । ସବୁ କଥା ଶୀଘ୍ର ବୁଝିବା ଓ ଶିଖିବା ଭଳି ଅବିଶ୍ୱସନୀୟ କ୍ଷମତାର ଅଧିକାରୀ ଥିଲେ ଲତା । ଏଥିପାଇଁ ତ ସଂଗୀତ କ୍ଷେତ୍ରରେ ନିଜକୁ ସାବ୍ୟସ୍ତ କରିବା ପାଇଁ ଲତାଙ୍କୁ ବେଶୀ ଦିନ ଲାଗି ନ ଥିଲା । ଅବଶ୍ୟ କ୍ୟାରିଅର ଆରମ୍ଭ ହୋଇଥିଲା ଅଭିନୟରୁ । ୫ ବର୍ଷ ବୟସରେ ହିଁ ପ୍ରଥମ ଥର ପାଇଁ ଏକ ନାଟକରେ ଅଭିନୟ କରିଥିଲେ ଲତା । କିନ୍ତୁ ଅଭିନୟ ପରିବର୍ତ୍ତେ ସଂଗୀତ ପ୍ରତି ଥିଲା ଆଗ୍ରହ ।
୧୯୪୨ ମସିହାରେ ପିତା ଦୀନାନାଥ ମଙ୍ଗେସକରଙ୍କ ଦେହାନ୍ତ ହୋଇଥିଲା । ସେତେବେଳେ ଲତାଙ୍କ ବୟସ ମାତ୍ର ୧୩ । ପିତାଙ୍କ ମୃତ୍ୟୁ ପରେ ନବଯୁଗ ଚିତ୍ରପଟ ନାମକ ଫିଲ୍ମ କଂପାନିର ମାଲିକ ତଥା ଦୀନାନାଥଙ୍କ ବନ୍ଧୁ ମାଷ୍ଟର ବିନାୟକ ମଙ୍ଗେସକର ପରିବାରର ଦାୟିତ୍ୱ ନେଲେ । ମାଷ୍ଟର ବିନାୟକ ହିଁ ଲତାଙ୍କୁ ଏକ ଗାୟିକା ଓ ଅଭିନେତ୍ରୀ କରିବାରେ ସହାୟକ ହୋଇଥିଲେ ।
ଚଳଚ୍ଚିତ୍ର ପାଶ୍ୱର୍ଗାୟନ କ୍ଷେତ୍ରରେ ପ୍ରବେଶ କଲା ପରେ ଲତାଙ୍କୁ ଆରମ୍ଭରୁ କିଛି ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା । ଅନେକ ସଂଗୀତ ନିର୍ଦ୍ଦେଶକ ଲତାଙ୍କ ସ୍ୱରକୁ ଅତି ପତଳା କହି ପ୍ରତ୍ୟାଖ୍ୟାନ କରିଥିଲେ । ତେଣୁ ଫିଲ୍ମରେ ଗାଇବା ଲତାଙ୍କ ପାଇଁ ମୁସ୍କିଲ ହୋଇଥିଲା । ସେତେବେଳେ ପାଶ୍ୱର୍ଗାୟିକା ଭାବେ ନୁରଜାହାନଙ୍କ ବେଶ୍ ଲୋକପ୍ରିୟତା ରହିଥିଲା । ନୁରଜାହାନଙ୍କ ସହ ଲତାଙ୍କ ତୁଳନା ହେଉଥିଲା । ଧୀରେ ଧୀରେ ନିଜର ସାଧନା ଓ ପ୍ରତିଭା ବଳରେ ଲତା ଚଳଚ୍ଚିତ୍ର ପାଶ୍ୱର୍ଗାୟନ କ୍ଷେତ୍ରରେ ସଫଳତା ହାସଲ କରିବାକୁ ଲାଗିଲେ । ଦେଶ ବିଭାଜନ ପରେ ଗାୟିକା ନୁରଜାହାନ ପାକିସ୍ତାନ ଚାଲିଗଲା ପରେ ଭାରତର ଅଗ୍ରଣୀ ପାଶ୍ୱର୍ଗାୟିକା ଭାବେ ମୁଣ୍ଡ ଟେକିଥିଲେ ଲତା ମଙ୍ଗେସକର । ମାତ୍ର ୧୩ ବର୍ଷ ବୟସରେ ବସନ୍ତ ଯୋଗଲେକରଙ୍କ ମରାଠୀ ଫିଲ୍ମ ‘କିତି ହାସଲ’ପାଇଁ ପାଶ୍ୱର୍ଗାୟିକା ଭାବେ ନିଜର ପ୍ରଥମ ଗୀତ ରେକର୍ଡ କରିଥିଲେ ଲତା । ଗୀତର ଟାଇଟଲ ଥିଲା- ନାଚୁ ୟା ଗଡେ…. । ତେବେ ଫିଲ୍ମ ମୁକ୍ତିଲାଭ ହେଲା ପରେ ଏହି ଗୀତ ନ ଥିଲା ।
ସଂଗୀତଜ୍ଞ ଉସ୍ତାଦ ଗୁଲାମ ହାଇଦରଙ୍କୁ ଲତାଙ୍କ ପ୍ରତିଭା ବେଶ୍ ପ୍ରଭାବିତ କରିଥିଲା । ପାଶ୍ୱର୍ଗାୟନ ପ୍ରତି ସେ ଲତାଙ୍କୁ ଉତ୍ସାହିତ କରିଥିଲେ । ଉସ୍ତାଦଙ୍କ ତତ୍ତ୍ୱାବଧାନରେ ବିକଶିତ ହୋଇଥିଲା ଲତାଙ୍କ ପ୍ରତିଭା । ୧୯୪୫ ମସିହାରେ ଉସ୍ତାଦ ଗୁଲାମ ହାଇଦର ନିଜର ପରବର୍ତ୍ତୀ ହିନ୍ଦି ଫିଲ୍ମ ପାଇଁ ଲତାଙ୍କୁ ଜଣେ ନିର୍ମାତାଙ୍କ ଷ୍ଟୁଡିଓକୁ ନେଇଯାଇଥିଲେ । ସେହି ଫିଲ୍ମରେ କାମିନୀ କୌଶଳ ମୁଖ୍ୟ ଭୂମିକାରେ ଥିଲେ । ଉସ୍ତାଦ ଗୁଲାମ ହାଇଦର କାମିନୀଙ୍କ କୌଶଳଙ୍କ ପାଇଁ ଲତା ଗୀତ ଗାଆନ୍ତୁ ବୋଲି ନିର୍ମାତାଙ୍କୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେ ନିରାଶ ହୋଇଥିଲେ ।
୧୯୪୩ରେ ଲତା ନିଜର ପ୍ରଥମ ହିନ୍ଦି ଫିଲ୍ମ ଗୀତ ଗାଇଥିଲେ । ‘ଗଜଭାଉ’ ଫିଲ୍ମର ‘ମାତା ଏକ ସପୁତ୍ କି ଦୁନିଆ ବଦଲ ଦେ ତୁ’ ହେଉଛି ଲତା ଗାଇଥିବା ପ୍ରଥମ ହିନ୍ଦି ଫିଲ୍ମ ଗୀତ । ୧୯୪୭ରେ ବସନ୍ତ ଯୋଗଲେକର ନିଜର ଫିଲ୍ମ ‘ଆପକୀ ସେବା ମେ’ରେ ଲତାଙ୍କୁ ସୁଯୋଗ ଦେଇଥିଲେ । ଏହି ଫିଲ୍ମରେ ଗୀତ ଗାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଲତା । ଏହାପରେ ୧୯୪୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମଜବୁର’ର ‘ଦିଲ୍ ମେରା ତୋଡା, ମୁଝେ କହିଁ କା ନା ଛୋଡା’ ଓ ‘ଅଂଗ୍ରେଜୀ ଛୋରା ଚଲା ଗୟା’ ଗୀତ ଲତାଙ୍କ ପାଇଁ ଆଣି ଦେଇଥିଲା ପ୍ରଥମ ସ୍ୱୀକୃତି । ଲୋକେ ତ ଚିହ୍ନିଲେ, କିନ୍ତୁ ଲୋକପ୍ରିୟତା ପାଇଁ ପ୍ରତୀକ୍ଷା କରିବାକୁ ପଡିଲା । ସେହି ସୁଯୋଗ ଆସିଥିଲା ୧୯୪୯ ମସିହାରେ । ରିଲିଜ ହୋଇଥିଲା ଫିଲ୍ମ ‘ମହଲ’ । ଏହି ଫିଲ୍ମର ନାୟିକା ମଧୁବାଲାଙ୍କ ଉପରେ ଚିତ୍ରଣ କରାଯାଇଥିଲା ଗୀତ ‘ଆୟେଗା ଆନେବାଲା’ା ଗାୟିକା ଥିଲେ ଲତା । ଏହି ଗୀତ ହିଁ ଲତାଙ୍କୁ ଆଣିଦେଇଥିଲା ଅପାର ଲୋକପ୍ରିୟତା । ଏହି ଗୀତ ଥିଲା ତାଙ୍କ କ୍ୟାରିଅରର ପ୍ରଥମ ସୁପରହିଟ୍ ଗୀତ । ସଂଗୀତ ନିର୍ଦ୍ଦେଶକ ଥିଲେ ଖେମଚାନ୍ଦ । ଏହାପରେ ସଫଳତାର ଗୋଟିଏ ପରେ ଗୋଟିଏ ସିଢି ଚଢିବାରେ ଲାଗିଲେ ଲତା ମଙ୍ଗେସକର । ଆଉ ପଛକୁ ଫେରି ଚାହିଁ ନ ଥିଲେ ଲତା ।
ଦେଶ ବିଭାଜନ ପରେ ନୁରଜାହାନ ପାକିସ୍ତାନ ଚାଲିଗଲା ପରେ ତାଙ୍କର ସ୍ଥାନ ନେଇଥିଲେ ଲତା ମଙ୍ଗେସକର । ‘ମହଲ’ ଫିଲ୍ମର ‘ଆୟେଗା ଆନେବାଲା’ ଗୀତ ସୁପରହିଟ୍ ହେଲା ପରେ ପ୍ରମୁଖ ସଂଗୀତ ନିର୍ଦ୍ଦେଶକମାନେ ଲତାଙ୍କୁ ଆଉ ଉପେକ୍ଷା କରି ପାରି ନ ଥିଲେ । ପଚାଶ ଓ ଷାଠିଏ ଦଶକରେ ପ୍ରାୟ ସବୁ ପ୍ରମୁଖ ସଂଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ । ଅନୀଲ ବିଶ୍ୱାସ, ଶଙ୍କର-ଜୟକିଷନ, ନୌଶାଦ, ଏସ.ଡି ବର୍ମନ, ସି. ରାମଚନ୍ଦ୍ର, ହେମନ୍ତ କୁମାର, ସଲିଲ ଚୌଧୁରୀ, ଖୟାମ, ରବି, ରୋଶନ, କଲ୍ୟାଣଜୀ-ଆନନ୍ଦଜୀ, ବସନ୍ତ ଦେଶାଇ ଓ ମଦନମୋହନ, ଆର.ଡି ବର୍ମନ ଓ ସଂଗୀତ ନିର୍ଦ୍ଦେଶନାରେ ଅସଂଖ୍ୟ ସୁପରହିଟ ଗୀତ ଗାଇଥିଲେ ଲତା । ଅନେକ ସଂଗୀତ ନିର୍ଦ୍ଦେଶକଙ୍କ ସେ ଥିଲେ ପ୍ରିୟ ଗାୟିକା । ଅବଶ୍ୟ ପଚାଶ ଓ ଷାଠିଏ ଦଶକର ଅନ୍ୟତମ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଓ.ପି ନାୟାରଙ୍କ ନିର୍ଦ୍ଦେଶନାରେ କେବେ ବି ଗୀତ ଗାଇ ନ ଥିଲେ ଲତା । ନାୟାର ବି ଲତାଙ୍କୁ ପସନ୍ଦ କରି ନ ଥିଲେ । ପତାଶ ଦଶକରେ ଲତା ଅନ୍ୟ ଭାଷାରେ ବି ଗୀତ ଗାଇବା ଆରମ୍ଭ କଲେ । ତାମିଲ,ସିଂହଳ,ବଙ୍ଗଳା ଭାଷାରେ ବୀ ଗୀତ ଗାଇବା ଆରମ୍ଭ କରିଥିଲେ ଲତା ।
ପରବର୍ତ୍ତୀ ସମୟରେ ଲତା ମଙ୍ଗେସକର ଏସ.ଡି ବର୍ମନ, ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ, ଖୟାମ, ବାପ୍ପି ଲାହିରୀଙ୍କ ଭଳି ସଂଗୀତ ନିର୍ଦ୍ଦେଶନାରେ ଗୀତ ଗାଇଥିଲେ ଲତା । ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସଂଗୀତ ନିର୍ଦ୍ଦେଶନାରେ ଲତା ସର୍ବାଧିକ ହିନ୍ଦି ଫିଲ୍ମ ଗୀତ ଗାଇଛନ୍ତି । ନୌଶାଦ, ଶଙ୍କର-ଜୟକିଷନ, ମଦନମୋହନ ଓ ଲକ୍ଷ୍ମୀକାନ୍ତ -ପ୍ୟାରେଲାଲଙ୍କର ବି ପ୍ରିୟ ଗାୟିକା ଥିଲେ ଲତା । ରାଜକପୁରଙ୍କ ଭଳି କଛି ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଲତାଙ୍କୁ ହିଁ ପାଶ୍ୱର୍ଗାୟିକା ଭାବେ ନେବାକୁ ସର୍ବଦା ଚାହୁଁଥିଲେ ।
ମହମ୍ମଦ ରଫି ଓ କିଶୋର କୁମାରଙ୍କ ସହ ଲତା ଅସଂଖ୍ୟ ସୁପରହିଟ୍ ଗୀତ ଗାଇଛନ୍ତି । ଅବଶ୍ୟ ରୟାଲଟି ନେଇ ମହମ୍ମଦ ରଫିଙ୍କ ସହ ତାଙ୍କର ବିବାଦ ହୋଇଥିଲା । ଦୁହେଁ କିଛି ବର୍ଷ ପରସ୍ପର ସହ କାମ କରି ନ ଥିଲେ । ପରେ ଅବଶ୍ୟ ଉଭୟଙ୍କ ମଧ୍ୟରେ ସାଲିସ ହୋଇଥିଲା ।
ସବୁ ପୀଢିର ସଂଗୀତ ନିର୍ଦ୍ଦେଶକ ଓ ଗାୟକ, ଗାୟିକାଙ୍କ ସହ କାମ କରିଥିଲେ ଲତା । ଭଉଣୀ ଆଶା ଭୋଁସଲେଙ୍କଠାରୁ ପ୍ରତିଦ୍ୱନ୍ଦିତା ଥିଲେ ମଧ୍ୟ ଲତାଙ୍କୁ କେହି ଅଟକାଇ ପାରି ନ ଥିଲେ । ଏପରିକି ଅଶୀ ଓ ନବେ ଦଶକରେ କବିତା କ୍ରିଷ୍ଣମୂର୍ତ୍ତି, ସାଧନା ସରଗମ ଓ ଅନୁରାଧ ପୌଡୱାଲଙ୍କ ପରି ନବାଗତ ଗାୟିକାଙ୍କ ଅଭ୍ୟୁଦୟ ସତ୍ତେବ ଲତା ନିଜର ସ୍ୱତନ୍ତ୍ରତା ବଜାୟ ରଖିଥିଲେ । ସବୁ ପ୍ରତିଯୋଗିତାରୁ ଉପରେ ଥିଲେ ଲତା।
୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତ । ଫିଲ୍ମ ଗୀତ ସହ ଅଣଫିଲ୍ମ ଗୀତ ଓ ଭଜନ ବି ନିଃସୃତ ହୋଇଛି ଲତାଙ୍କ କଣ୍ଠରୁ । ଶ୍ରୋତାଙ୍କ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ଓ ଅସଂଖ୍ୟ ପୁରସ୍କାର । କ୍ୟାରିଅରରରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର । ଶ୍ରେଷ୍ଠ ଗାୟିକା ଭାବେ ଏକାଧିକ ଥର ଫିଲ୍ମଫେୟରା ଓ ଜାତୀୟ ପୁରସ୍କାର । ୧୯୮୯ରେ ଦାଦାସାହେବ ଫାଲକେ ଓ ୨୦୦୧ରେ ଭାରତରତ୍ନ । ଏହି ମହାନ ଗାୟିକା ଥିଲେ ଚିର କୁମାରୀ ।
ଆଜି ସେ ଆମ ଗହଣରେ ନାହାନ୍ତି । । କିନ୍ତୁ କୋଟି କୋଟି ସଂଗୀତପ୍ରେମୀ ଶ୍ରୋତାଙ୍କ ହୃଦୟରେ ସେ ସର୍ବଦା ତାଙ୍କ ଯାଦୁକରୀ ଗୀତ ଜରିଆରେ ଅମର ହୋଇ ରହିବେ । ଲତାଙ୍କ ଭଳି ଯୋଗଜନ୍ମା ଶତାବ୍ଦୀରେ ଥରେ ହିଁ ଜନ୍ମ ନିଅନ୍ତି ଓ ଲେଖନ୍ତି କାଳଜୟୀ ଇତିହାସ ।
( ଲେଖକ ଜଣେ ବରିଷ୍ଠ ସାମ୍ବାଦିକ )
ଘୋଷଣା: ଏହି ସ୍ତମ୍ଭରେ ପ୍ରକାଶ ପାଇଥିବା ମତାମତ ଲେଖକଙ୍କ ନିଜସ୍ବ ବ୍ୟକ୍ତିଗତ ବିଚାର ଅଟେ। ଏଥିରେ ସମ୍ବଳିତ ତଥ୍ୟ ବା ମତାମତ newsroomodisha.com ଦୃଷ୍ଟିକୋଣକୁ ପ୍ରତିଫଳିତ କରୁନାହିଁ କିମ୍ଵା newsroomodisha.com ଏ ନେଇ କୈାଣସିମତେ ଉତ୍ତରଦାୟୀ ନୁହେଁ।
Comments are closed.