ଗଞ୍ଜାମ ଜିଲ୍ଲାର ପୌର ପ୍ରତିନିଧିଙ୍କ ପାଇଁ ‘ପ୍ରେରଣା’ କର୍ମଶାଳା: ବିକାଶର ପାଠ ପଢ଼ିଲେ

ବ୍ରହ୍ମପୁର: ନିଜ ସହରକୁ କିଭଳି ବିକାଶର ପଥରେ ଆଗେଇ ନେବେ, କିପରି ନିଜ ୱାର୍ଡରେ ଉନ୍ନୟନମୂଳକ କାର୍ଯ୍ୟ କରିବେ, କିଭଳି ସହରାଞ୍ଚଳରେ ଜନସାଧାରଣଙ୍କ ନେତୃତ୍ବ ନେଇ ପ୍ରଗତିକୁ ବ୍ୟାପକ କରିବେ… ଏସବୁ ପାଠ ପଢ଼ିଲେ ବ୍ରହ୍ମପୁର ମହାନଗରର ମେୟର, ଡେପୁଟୀ ମେୟର, କର୍ପୋରେଟର୍‌, ହିଞ୍ଜିଳିକାଟୁ ପୌରପାଳିକା, ଚିକିଟି, ପୁରୁଷୋତ୍ତମପୁର ଓ ଖଲ୍ଲିକୋଟର ଅଧ୍ୟକ୍ଷ / ଅଧ୍ୟକ୍ଷା, ଉପାଧ୍ୟକ୍ଷ / ଉପାଧ୍ୟକ୍ଷା, କାଉନସିଲରଗଣ। ସହରାଞ୍ଚଳ ଉନ୍ନୟନର ବିଭିନ୍ନ ଦିଗ ନେଇ ସେମାନଙ୍କୁ ଟିପ୍‌ସ୍ ଦେଇଥିଲେ ବିଭାଗୀୟ ପଦାଧିକାରୀ। ଏହାଦ୍ବାରା ଆଗାମୀ ଦିନରେ ନିଜ ମହାନଗର ବା ସହରର ସାମଗ୍ରୀକ ବିକାଶରେ ଏହି ନିର୍ବାଚିତ ପୌର ପ୍ରତିନିଧିମାନେ ନିଜ ଯୋଗଦାନକୁ ଅଧିକ ପ୍ରଭାବୀ କରାଇପାରିବେ ବୋଲି ଆଶା କରାଯାଉଛି।

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ହୋଇଥିବା କର୍ମଶାଳାରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା, ବଜେଟ୍ ପ୍ରସ୍ତୁତି ବାବଦରେ ବିସ୍ତୃତ ଜ୍ଞାନ ଆହରଣ କରିଛନ୍ତି ସମସ୍ତ କର୍ପୋରେଟର୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସହରାଞ୍ଚଳ ବାସିନ୍ଦାଙ୍କ ସକାଶେ ଲାଗୁ କରାଯାଇଥିବା ସର୍ବାଧିକ ଜନକଲ୍ୟାଣକାରୀ ଯୋଜନା ଯଥା ଜାଗା ମିଶନ୍, ଆହାର କେନ୍ଦ୍ର, ମୁକ୍ତା ସ୍କିମ୍, ସ୍ବଚ୍ଛ ଭାରତ ଅଭିଯାନ ଉପରେ ମଧ୍ୟ ବିଶେଷଜ୍ଞମାନେ କର୍ପୋରେଟର୍‌ମାନଙ୍କୁ ଟିକିନିଖି ବୁଝାଇଥିଲେ। ସେମାନଙ୍କ ସନ୍ଦେହମୋଚନ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମହାନଗର ନିଗମକୁ ବହୁଳ ଅନୁଦାନ ପ୍ରଦାନ କରୁଛନ୍ତି ଯେଉଁଥିରେ ସହରବାସୀଙ୍କ ସକାଶେ ମୌଳିକ ସୁବିଧା ଯୋଗାଣରୁ ଆରମ୍ଭ କରି ସେମାନଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ତେବେ କେଉଁ ସୂତ୍ରରୁ ଅନୁଦାନ ଆସୁଛି, ତାହାକୁ କିଭଳି ପ୍ରାଥମିକତା ଭିତ୍ତିରେ ବ୍ୟୟ କରାଯିବ ଯାହାଦ୍ବାରା କି ସହର ବାସିନ୍ଦା ସର୍ବାଧିକ ଉପକୃତ ହୋଇପାରିବେ ତାହା ଥିଲେ ଆଲୋଚନାର ପ୍ରସଙ୍ଗ। ଅନେକ କର୍ପୋରେଟର୍ ବେଶ୍ ଆଗ୍ରହର ସହ ବିଭିନ୍ନ ବିଷୟ ବୁଝିବା ସହ ନିଜ ମନରେ ଆସୁଥିବା ପ୍ରଶ୍ନ ଉପସ୍ଥାପନ କରି ତାହାର ଉତ୍ତର ମଧ୍ୟ ବୁଝିବାକୁ ପାଇଥିଲେ। ଗୋଷ୍ଠୀଗତ ସହଭାଗିତା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇ ଥିଲା। ସହରୀ ଶାସନ ନୀତି ଉପରେ ମେୟର୍ ସଂଘମିତ୍ରା ଦଳେଇ ବକ୍ତବ୍ୟ ରଖିଥିବା ବେଳେ କମିଶନର ଜେ. ସୋନାଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଡେପୁଟୀ ମେୟର୍ ଇ.ବିବେକ ରେଡ୍ଡୀ, ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ଉପସ୍ଥିତ ଥିଲେ। ।

ସେହିପରି ମଙ୍ଗଳବାର ହିଞ୍ଜିଳିକାଟୁ ପୌରପାଳିକାରେ ଜିଲ୍ଲାର ଏହି ଏକମାତ୍ର ମ୍ୟୁନିସିପାଲିଟି ସମେତ ଅନ୍ୟ ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପୌର ପ୍ରତିନିଧିମାନେ ସହର ବିକାଶର ଟିପ୍‌ସ୍ ଗ୍ରହଣ କରିଥିଲେ। ସହରାଞ୍ଚଳର ପ୍ରତ୍ୟେକ ୱାର୍ଡକୁ କିଭଳି ଆଦର୍ଶ ୱାର୍ଡ ଭାବେ ଗଢ଼ିହେବ ସେ ବାବଦରେ ୧୦ ଗୋଟି ପ୍ରସ୍ତାବ ଓ ତାହାର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଦିନତମାମ ଚାଲିଥିବା ଏହି ପ୍ରେରଣା କାର୍ଯ୍ୟକ୍ରମରେ ମାନସମନ୍ଥନ କରିଥିଲେ ପୌରାଧ୍ୟକ୍ଷ/ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ/ ଉପାଧ୍ୟକ୍ଷା ଓ କାଉନ୍ସିଲର୍‌ଗଣ। ଗୁରୁତ୍ବାରୋପ କରାଯାଇଛି ନ। ସହରାଞ୍ଚଳର ସାମଗ୍ରିକ ଉନ୍ନତିରେ ଅଧ୍ୟକ୍ଷ ଓ କାଉନସିଲରଙ୍କ ଭୂମିକା ଏବଂ ଦାୟିତ୍ବ ନିର୍ବାହନ ନେଇ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଗୁରୁତ୍ବାରୋପ କରିଥିଲେ । ପରିମଳ ପରିଚାଳନା, ଅନୁଦାନ ବିନିଯୋଗ, ଜାଗା ମିଶନ୍, ମୁକ୍ତା ଯୋଜନା, ଆହାର କେନ୍ଦ୍ର ପରିଚାଳନା , ବିପର୍ଯ୍ୟୟ ପରିଚାଳନା ଆଦି ବାବଦରେ ଆଲୋଚନା ହୋଇଥିଲା ।

Comments are closed.