ଜୀରାନଦୀ ପୋଲ ନିର୍ମାଣ ଅସମ୍ପୂର୍ଣ୍ଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ବରଗଡ଼: ବରଗଡ଼ ସହରରୁ ଅମ୍ବାପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରାନଦୀ ପୋଲ ଭାଙ୍ଗି ନୂତନ ପୋଲ ନିର୍ମାଣ ଚାଲିଛି। ୨୦୧୮ରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୨୦୨୦ସୁଦ୍ଧା ପୋଲ ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ସରି ନାହିଁ। ଅନ୍ୟପକ୍ଷରେ ଜୀରାନଦୀ ଉପରେ ନିର୍ମିତ ଫେୟାରଓ୍ବେଦର ରାସ୍ତା ବର୍ଷା ହେଲେ ଥରକୁ ଥର ଧୋଇ ହୋଇ ଯାଇଛି। ଫଳରେ ବରଗଡ଼ ସହରରୁ ଅମ୍ବାପାଲି ଅଧିକାଂଶ ସମୟ ବିଚ୍ଛିନ୍ନ ହୋଇପଡୁଛି l ସ୍ଥାନୀୟ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ କାର୍ଯ୍ୟରେ ସେଭଳି ଶୀଥିଳତାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନ ୮ଟାରୁ ଅମ୍ବାପାଲିବାସୀ ମୁଖ୍ୟ ରାସ୍ତା ସମେତ ଆଖପାଖ ସମସ୍ତ ଗ୍ରାମପର୍ଶ୍ୱ ରାସ୍ତାଗୁଡିକୁ ବନ୍ଦ କରି ରାସ୍ତାରୋକୋକୁ ଓହ୍ଲାଇଛନ୍ତି। ଫଳରେ ବରଗଡ-ବଲାଙ୍ଗୀର ରାସ୍ତାରେ ଯାନବାହନ ଚଳାଚଳ ଠପ ହୋଇଥିବା ବେଳେ ରାସ୍ତାର ଉଭୟ ପଟରେ ଶତାଧିକ ଗାଡ଼ି ଅଟକି ରହିଛି। ପୋଲ ନିର୍ମାଣ କାର୍ଯ୍ୟ ତୀବ୍ର ତଥା ତ୍ୱରାନ୍ବିତ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

Comments are closed.