ବ୍ରହ୍ମପୁର ମହିଳା ଥାନା ହେଲା ଶିଶୁ ଅନୁକୂଳ ଥାନା

ବ୍ରହ୍ମପୁର: ବ୍ରହ୍ମପୁର ମହିଳା ଥାନା ହେଲା ଚାଇଲ୍ଡ ଫ୍ରେଣ୍ଡଲୀ ବା ଶିଶୁଙ୍କ ଅନୁକୂଳ ପରିବେଶ ସମ୍ପନ୍ନ ଥାନା। ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ ବ୍ରହ୍ମପୁର ଏସପି ଡା ସରବଣା ବିବେକ ଏମ୍ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଉଦଘାଟନ କରିଛନ୍ତି। ବ୍ରହ୍ମପୁର ପୋଲିସ ଜିଲ୍ଲାର ଏହା ହେଉଛି ଏଭଳି ପ୍ରଥମ ଥାନା।

ପୋଲିସ ଥାନା କେବଳ ଅଭିଯୋଗକାରୀଙ୍କ ପ୍ରତି ଅନୁକୂଳ ପରିବେଶ ସୃଷ୍ଟି କରିବ ତାହା ନୁହେଁ। ବରଂ କୈାଣସିମତେ ଥାନାକୁ ଆସୁଥିବା ଶିଶୁଙ୍କ କୋମଳ ମନରେ ଭୟ ବଦଳରେ ଏକ ଆନନ୍ଦପ୍ରଦାୟକ ପରିବେଶ ସୃଷ୍ଟି କରିବ ଓ ସାମାଜିକ ଚେତନା ସୃଷ୍ଟି କରିବ ସେହି ଉଦ୍ଦେଶ୍ୟରେ ଏହିଭଳି ପରିକଳ୍ପନା କରାଯାଇଛି। ଥାନାକୁ ଆସୁଥିବା କୋୖଣସି ଅଭିଯୋଗକାରୀ ବା ପୀଡ଼ିତାଙ୍କ ସହ ଥିବା ଶିଶୁମାନେ ସେଠି ମଧ୍ୟ ଆଶ୍ବସ୍ତକର ପରିବେଶ ପାଇପାରିବେ ସେଥିପାଇଁ ଏହି ପ୍ରୟାସ କରିଆସୁଛି ଓଡ଼ିଶା ପୋଲିସ ବିଭାଗ। ଏପରିକି ଶିଶୁର ମାଆ କିମ୍ବା ମହିଳା ଅଭିଭାବକ ମଧ୍ୟ ଥାନାରେ ଆରାମଦାୟକ ଅନୁଭବ କରିପାରିବେ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ଏଥିପାଇଁ ବିଶ୍ରାମ ସ୍ଥଳ, ସ୍ବତନ୍ତ୍ର ଶୈଚାଳୟ, ଶିଶୁଙ୍କ ନିମନ୍ତେ ସ୍ତନ୍ୟପାନ ସ୍ଥଳ, ଖେଳନା, ଶିଶୁଙ୍କ ଖେଳିବା ସ୍ଥାନ ଆଦି ଉପଲବ୍ଧ ରହିଛି।

ଶିଶୁ ଅନୁକୂଳ ଥାନା ଉଦଘାଟନ ଅବସରରେ ଆଇଜି ଭୋଇ ଓ୍ବାନ୍ ଷ୍ଟାଫ୍ ସେଣ୍ଟର୍, ଶିଶୁ କଲ୍ୟାଣ ସମିତି ସଦସ୍ୟ, ଚାଇଲ୍ଡଲାଇନ୍ କର୍ମକର୍ତ୍ତା ଏବଂ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Comments are closed.