ଇତିହାସ ପାଲଟିଲା ଗାନ୍ଧୀଙ୍କ ସ୍ମୃତି ବହନକାରୀ ଫାଟକ ଷ୍ଟେସନ

ସମ୍ବଲପୁର : ଦିନକ ପରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜୟନ୍ତୀ ତିଥି। ଦେଶତମାମ ତାଙ୍କ ସ୍ମୃତିଚାରଣ କରାଯିବ। ଦେଶବ୍ୟାପି ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରୟାସ ଚାଲିଛି। ଏଭଳି ସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ତାଙ୍କ ସ୍ମୃତିବହନ କରି ଆସିଥିବା ସମ୍ବଲପୁର ସହରର ଐତିହାସିକ ଫାଟକ ରେଳ ଷ୍ଟେସନକୁ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ରେଳବାଇ ମାଟିରେ ମିଶାଇ ଦେଇଛି। ଦୀର୍ଘ ଦିନ ଧରି ସମ୍ବଲପୁରର ଜନସାଧାରଣଙ୍କ ଆନ୍ଦୋଳନ ସତ୍ତ୍ବେ ରେଳବାଇର ଏଭଳି ପଦକ୍ଷେପ ଏବେ ତୀବ୍ର ଅସନ୍ତୋଷର କାରଣ ହେଲାଣି।

ସମ୍ବଲପୁରର ଫାଟକ ଷ୍ଟେସନ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମୁକସାକ୍ଷୀ ପାଲଟି ଆସିଥିଲା। ମହାତ୍ମାଗାନ୍ଧୀ ଓହ୍ଲାଇଥିବା ଏହି ସମ୍ବଲପୁର ରୋଡ୍ ରେଳ ଷ୍ଟେସନ ଅଞ୍ଚଳବାସୀଙ୍କ ଜୀବନରେଖା ପାଲଟିଥିଲା। ତେଣୁ ଏହି ରେଳ ଷ୍ଟେସନକୁ ଐତିହ୍ୟ ରେଳ ଷ୍ଟେସନର ମାନ୍ୟତା ଦେବାକୁ ଦାବି ହୋଇଆସୁଥିଲା। କିନ୍ତୁ ରେଳ ଲାଇନର ସମ୍ପ୍ରସାରଣ ପାଇଁ ତଥା ସମ୍ବଲପୁର ଜଙ୍କସନ ରେଳ ଷ୍ଟେସନରୁ ମାତ୍ର 1 କିମି ଦୂରରେ ଥିବାରୁ ଏହି ଷ୍ଟେସନକୁ ଉଚ୍ଛେଦ କରିବା ନେଇ ରେଳବାଇ ପକ୍ଷରୁ ଯୋଜନା ଆରମ୍ଭ ହୋଇଥିଲା। 3 ଦଶନ୍ଧି ଧରି ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ ହୋଇଆସୁଥିବା ବେଳେ ଲୋକଙ୍କ ବିରୋଧ ପାଇଁ ଅଟକି ଯାଇଥିଲା। ଏପରିକି ଏହାର ସୁରକ୍ଷା ପାଇଁ ବି ରେଳବାଇ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଇ ଆସିଥିବା ବେଳେ ପରବର୍ତ୍ତୀ ମୁହୁର୍ତ୍ତରେ ଏହାର ଉଲ୍ଘଂନ କରିଛନ୍ତି। ଏହାର ପ୍ରତିବାଦରେ ଗତ 2 ବର୍ଷ ଧରି ବାରମ୍ବାର ଆନ୍ଦୋଳନ ହୋଇଛି। ଖାଲି ସେତିକି ନୁହେଁ, ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ବି ଦିଆଯାଇଥିବା ସବୁ ସର୍ତ୍ତକୁ ରେଳବାଇ ବେଖାତିର କରି ଆସିଛି।

ଆଉ ସମସ୍ତ ଜନମତକୁ ଏଡାଇ ଯାଇ ରେଳବାଇ କର୍ତ୍ତୃପକ୍ଷ 4 ଦିନ ତଳୁ ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ଆଉ ବର୍ତ୍ତମାନ ଏହି ଷ୍ଟେସନ୍ ସଂପୂର୍ଣ ନିଶ୍ଚିହ୍ନ ହୋଇସାରିଛି। ଫଳରେ ଏନେଇ ଦଳମତ ନିର୍ବିଶେଷରେ ସାରା ସମ୍ବଲପୁରରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏନେଇ ସମ୍ବଲପୁରର ସ୍ଥାନୀୟ ସାଂସଦ ବି ପଦୁଟିଏ ମୁହଁ ନ ଖୋଲିବା ସମସ୍ତଙ୍କୁ ଚକିତ କରିଛି।

Comments are closed.