ଭୁବନେଶ୍ୱର – ‘ଆହାର’ ଯୋଜନାକୁ ଆହୁରି ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ଟି ନୂଆ କେନ୍ଦ୍ରୀୟ ରନ୍ଧନଶାଳା ନିର୍ମାଣ କରାଯାଉଛି। ରାଜ୍ୟ ସରକାର ଏଥିପାଇଁ ୧୭ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି । ଆହାର ଯୋଜନାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ମାଣ ଶେଷ ପରେ ନୂଆ ରନ୍ଧନଶାଳାଗୁଡ଼ିକର ପରିଚାଳନା ଦାୟିତ୍ଵ ମିଶନ ଶକ୍ତି ଗୋଷ୍ଠୀଙ୍କୁ ଦିଆଯିବ । ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ୨୦୧୫ରେ ‘ଆହାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନାରେ ଭୋକିଲାଙ୍କ ପେଟକୁ ଦାନା ଦିଆଯାଉଥିବା ବେଳେ ମିଶନ୍ ଶକ୍ତି ଗୋଷ୍ଠୀଙ୍କ ଆର୍ଥିକ ମେରୁଦଣ୍ଡ ମଧ୍ୟ ସୁଦୃଢ଼ କରିଛି। ମିଶନ ଶକ୍ତି ସଦସ୍ୟାମାନେ ଏହି ଆହାର କେନ୍ଦ୍ର ତଥା ପାକଶାଳାଗୁଡ଼ିକର ପରିଚାଳନା କରୁଛନ୍ତି। ନଗର ଉନ୍ନୟନ ବିଭାଗର ସହରାଞ୍ଚଳ ବିକାଶ ସଂସ୍ଥା -ସୁଡା ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସୁଡାର ନିର୍ଦ୍ଦେଶକ ଶାରଦା ପ୍ରସାଦ ପଣ୍ଡା କହିଛନ୍ତି।
ବର୍ତ୍ତମାନ ରାଜ୍ୟରେ ୧୬୭ ଟି ଆହାର କେନ୍ଦ୍ର ଚାଲୁଛି। ଏହାର ପରିଚାଳନା ଦାୟିତ୍ୱରେ ୧୮୫ଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ନିଯୋଜିତ ରହିଛନ୍ତି। ୫ ଟଙ୍କାରେ ସୁସ୍ୱାଦୁ ପୁଷ୍ଟିକର ଭାତ ଡାଲମା ସହିତ ଆଚାର ପ୍ରସ୍ତୁତ ତଥା ପରିବେଷଣ କରିବା ପାଇଁ ୩୮ଟି କେନ୍ଦ୍ରୀୟ ରନ୍ଧନଶାଳା ଓ ବ୍ରହ୍ମପୁର, ଢେଙ୍କାନାଳ ତଥା ବାରିପଦାରେ ୩ ଟି ଆଚାର ତିଆରି କେନ୍ଦ୍ର ସ୍ଥାପନ କରାଯାଇଛି।
Comments are closed.