ମହାଯାତ୍ରାରେ ବିଜୟ ରଞ୍ଜନ, ପ୍ରିୟ ଜନନାୟକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଜନତା

ବରଗଡ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବାରିହା ଙ୍କର ପାର୍ଥିବ ଶରୀର ଗତକାଲି ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରୁ ପଦ୍ମପୁରକୁ ପହଞ୍ଚିଥିଲା । ପଦ୍ମପୁର ଶାସ୍ତ୍ରୀ ଛକ ନିକଟରେ ଅପେକ୍ଷା କରିଥିବା ହଜାର ହଜାର ସଂଖ୍ୟାରେ ବିଜୟ ପ୍ରେମୀଙ୍କର ଗହଣରେ ବିଜୟ ସିଂ ବାରିହା ଅମର ରହେ ନାରାରେ ମୃତଦେହ ବିଜୁ ଜନତା ଦଳ ଅଫିସରେ ପହଂଚିଥିଲା । ଏହାପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ବିଜୟ ପ୍ରେମୀ ନିଜର ପ୍ରିୟ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଦଳ ମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଜୁ ଜନତା ଦଳ ଅଫିସ କୁ ଆସି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସ୍ବର୍ଗତ ବିଜୟ ବାବୁଙ୍କର ପୁତ୍ର ଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଆଜି ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ସୁଶାନ୍ତ ସିଂ, ମନ୍ତ୍ରୀ ରୀତା ସାହୁ , ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିଜୁ ଯୁବ ଜନତା ଦଳ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ସ୍ୱର୍ଗତ ବିଧାୟକଙ୍କ ପାର୍ଥିବ ଶରୀର ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ସକାଳ ନଅ ଘଣ୍ଟା ସମୟରେ ସ୍ବର୍ଗତ ବିଧାୟକଙ୍କର ମୃତଦେହ ଶେଷ ଯାତ୍ରାରେ ପଦ୍ମପୁର ସହର ପରିକ୍ରମା କରି ପଦ୍ମପୁର ରାଜଘାଟରେ ପହଂଚିବା ପରେ ଗାର୍ଡ ଅଫ ଅନର ଦିଆଯାଇଥିଲା । ପରେ ରାଜକୀୟ ସମ୍ମାନ ଓ ପାରିବାରିକ ନୀତିରେ ଅନ୍ତିମ ସଂସ୍କାର କରାଯାଇଥିଲା ।

Comments are closed.