ଓଆରଏଚଡିସି ଦୁର୍ନୀତି : ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ବିରୋଧରେ ବିଧାୟକ ମୋକିମଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ, ଦେଲେ ଜାମିନ

କଟକ – ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟକୁ ବିରୋଧ କରି ବିଧାୟକ ମହମ୍ମଦ ମୋକିମଙ୍କ ଆବେଦନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ମୋକିମଙ୍କୁ ଜାମିନ ଦେବା ସହ ତଳକୋର୍ଟରୁ ରେକର୍ଡ ତଲବ କରିଛନ୍ତି। ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ୍ ସହ ଜରିମାନାରେ ଦଣ୍ଡାଦେଶ ଦେଇଛନ୍ତି। ଭିଜିଲାନ୍ସ କୋର୍ଟର ଏହି ଦଣ୍ଡାଦେଶ ଖାରଜ ପାଇଁ ଅନୁରୋଧ କରି ‌ମୋକିମ ଆବେଦନ କରିଥିଲେ।

ମୋକିମଙ୍କ ଅପିଲ ବିଚାରାଧୀନ ଥିବା ବେଳେ ତାଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ଭିଜିଲାନ୍ସ ଅଦଲତଙ୍କ ଜରିମାନା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତଙ୍କ ଜେଲଦଣ୍ଡ ଉପରେ ରୋକ ପାଇଁ ମୋକିମ କରିଥିବା ଆବେଦନ ବିରୋଧରେ ଭିଜିଲାନ୍ସ ବିଭାଗ ଲିଖିତ ମତାମତ ରଖିଛି। ଏହାର କପି ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆଗାମୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

କିଛି ଦିନ ତଳେ ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ -ଓଆରଏଚଡିସି ଋଣ ହଡ଼ପ ମାମଲାର ଶୁଣାଣି ଭିଜିଲାନ୍ସ କୋର୍ଟ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେମାନେ ହେଲେ, ପୂର୍ବତନ ଆଇଏଏସ୍ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତି।

ସମସ୍ତଙ୍କୁ ୩ବର୍ଷ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଥିଲା। ଜରିମାନା ଅନାଦେୟ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଥିଲା।

Comments are closed.