ଫିଫାର ‘ଫୁଟବଲ ଫର୍ ଅଲ୍’ କାର୍ଯ୍ୟ କ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ତୃଣମୂଳ ସ୍ତରରେ ଫୁଟବଲର ପ୍ରସାର ପାଇଁ ‘ଫୁଟବଲ ଫର ଅଲ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ରାଜ୍ୟର ୨୦୦୦ ସ୍କୁଲରେ ୪୩ ହଜାର ଫୁଟବଲ ବଣ୍ଟନ କରାଯିବ। କିଟ୍ ଓ କିସ୍ ଭାଗିଦାରୀରେ ଆନ୍ତର୍ଜାତିକ ଫୁଟବଲ ମହାସଂଘ -ଫିଫା ପକ୍ଷରୁ ରାଜ୍ୟ ରେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ଖେଳର ପ୍ରସାର ପାଇଁ ଫିଫା ପକ୍ଷରୁ ଭାରତରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଯୋଗେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ ‌। ଫୁଟବଲ ସବୁଠାରୁ ଲୋକପ୍ରିୟ ଖେଳ। ସାରାବିଶ୍ୱର ଲୋକଙ୍କୁ ଏହା ଏକାଠି କରେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ଏଭଳି ଭାଗିଦାରୀ ଓ କାର୍ଯ୍ୟକ୍ରମ ଆମଦେଶରେ ଫୁଟବଲର ବିକାଶରେ ସହାୟକ ହୋଇପାରିବ। ରାଜ୍ୟରେ ମଧ୍ୟ ଫୁଟବଲ ଖେଳ ଉପରେ ଫୋକସ ରଖାଯାଉଛି । ବିଶେଷ କରି ମହିଳା ଫୁଟବଲ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହିଳା ବିଶ୍ୱକପ ପରେ ଆମର ଭଲ ଭିତ୍ତିଭୂମି ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରହିବ ବୋଲି ମୁଖ୍ୟମନ୍ତ୍ରୀ କ‌ହିବା ସହ ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ୍ ପାଇଁ ଓଡ଼ିଶା ସହ- ଆୟୋଜକ ହେବା ଗର୍ବର ବିଷୟ ବୋଲି କହିଥିଲେ ।ଏହି ବିଶ୍ୱକପ୍ ଦ୍ୱାରା ଓଡ଼ିଶାରେ ଫୁଟବଲ ଖେଳର ପ୍ରସାରକୁ ବଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

‘ଫୁଟବଲ ଫର ଅଲ୍’ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଶାରେ ଆରମ୍ଭ କରିଥିବାରୁ ଫିଫାକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ ଏ ଦିଗରେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ କିଟ୍ -କିସର ଭୂମିକାକୁ ମଧ୍ୟ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାରେ ଫୁଟବଲର ବିକାଶ ପାଇଁ ଆଗକୁ ମଧ୍ୟ ଫିଫାର ଭାଗିଦାରୀରେ ଉଦ୍ୟମ ହେବ ବୋଲି ଆଶା ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟର କ୍ରୀଡା ଭିତ୍ତିଭୂମି ପାଇଁ ଅଧିକ ବ୍ୟୟ କରାଯାଉଛି । ଫିଫା ପାର୍ଟନରସିପ ଦ୍ୱାରା ସ୍କୁଲ ସ୍ତରରେ ଫୁଟବଲର ପ୍ରସାର ହେବ ବୋଲି ସେ କହିଥିଲେ।

ସାଂସଦ ଓ କିଟ୍ -କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାରେ ଅନୁକୂଳ କ୍ରୀଡା ବାତାବରଣ ସୃଷ୍ଟି ହୋଇପାରିଛି । ‘ଫୁଟବଲ ଫର ଅଲ୍’ କାର୍ଯ୍ୟକ୍ରମ ପାଇଁ କିଟ୍ ଓ କିସ୍ ଲଜିଷ୍ଟିକ୍ସ ହବ୍ ପାଲଟିଛି ବୋଲି ଡକ୍ଟର ସାମନ୍ତ କହିଥିଲେ।
ଫିଫା ‘ଫୁଟବଲ ଫର ଅଲ’ ନିର୍ଦ୍ଦେଶିକା ଫାତିମାତା ସୋ ସିବଦେ ଭର୍ଚୁଆଲରେ ଯୋଡ଼ି ହୋଇ ଓଡ଼ିଶାରେ କ୍ରୀଡାର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସାମାଜିକ ପରିବର୍ତ୍ତନ ପାଇଁ ଫୁଟବଲ ଏକ ଶକ୍ତିଶାଳୀ ମାଧ୍ୟମ । ଫୁଟବଲ ଫର ଅଲ୍ କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କୁ ସ୍କିଲ ସପୋର୍ଟ ମିଳିପାରିବ ବୋଲି ସେ କହିଥିଲେ । ରାଜ୍ୟରେ ଏହି କାର୍ଯ୍ୟକ୍ରମରେ ସହାୟତା ପାଇଁ କିଟ୍ କୁ ସେ ଧନ୍ୟବାଦ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କ୍ରୀଡା ମନ୍ତ୍ରୀ ଭୁବନେଶ୍ୱରର ୟୁନିଟ -୯ ଗାର୍ଲସ ହାଇସ୍କୁଲ ଓ କ୍ୟାପିଟାଲ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍କୁଲ ଓ ଗଣଶିକ୍ଷା ସଚିବ ଅସ୍ୱସ୍ଥି ଏସ ସ୍ବାଗତ ଭାଷଣ ଦେଇଥିବା ବେଳେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.