କନ୍ଧମାଳ: ପୋଲିସ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲାଲ୍‌ବାହିନୀ ଶକ୍ତି ହ୍ରାସ ପାଉଛି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଲାଲ୍‌ବାହିନୀ ନିଜ ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛି। ଦୁଇ ମାଓପ୍ରବଣ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ମଧ୍ୟରେ ଓଡ଼ିଶାର ଏହି ଜିଲ୍ଲା ଦେଇ ଚଳପ୍ରଚଳରେ ମାଓବାଦୀଙ୍କୁ ସୁବିଧା ହେଉଛି। ଏଣୁ କନ୍ଧମାଳରେ ଲାଲବାହିନୀ ସକ୍ରିୟ ରହିଥିଲେ ହେଁ ପୋଲିସ ମାଓ କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖିବା ସହ ଉଚିତ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରୁଥିବାରୁ ମାଓବାଦୀମାନେ ସେମାନଙ୍କ ଷଡ଼ଯନ୍ତ୍ରରେ ସଫଳ ହୋଇପାରୁ ନାହାନ୍ତି। ବରଂ ମାଓବାଦୀଙ୍କ ଉପରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଅଧିକ ସଫଳତା ମିଳୁଛି। ମଙ୍ଗଳବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସୁତ୍ରା ପଞ୍ଚାୟତର ସିନ୍ଧିଗାଁ ଜଙ୍ଗଲରେ ପୋଲିସ ସହ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଆହତ ହୋଇ ନିଜ ଶିବିରରୁ ପଳାୟନ କରିଛନ୍ତି। ମୃତ ମାଓବାଦୀ ଜଣକ ଛତିଶଗଡ଼ କ୍ୟାଡରର ବୋଲି ଅନୁମାନ କରାଯାଉଛି। ପୋଲିସ ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଯଥା ବନ୍ଧୁକ, ଗୁଳି, ବିସ୍ଫୋରକ ସାମଗ୍ରୀ, ୟୁନିଫର୍ମ ଜବତ କରିବାରେ ସଫଳ ହୋଇଛି। ଏଥିସହ ମାଓବାଦୀଙ୍କ ବିରୋଧରେ ପୋଲିସ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି।

ଏହି ଘଟଣା ନେଇ ଫୁଲବାଣୀ ଠାରେ ବୁଧବାର ଆଇଜି (ଅପରେସନ୍) ଅମିତାଭ ଠାକୁର ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛନ୍ତି। ପୋଲିସ ବାହିନୀର ସମୟୋଚିତ ପଦକ୍ଷେପ ଯୋଗୁଁ ଲାଲବାହିନୀ କନ୍ଧମାଳରେ ଶକ୍ତିବୃଦ୍ଧିରେ ସକ୍ଷମ ହୋଇପାରୁନି ବୋଲି ଆଇଜି କହିଛନ୍ତି। କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ପ୍ରାୟ ୭୦ କ୍ୟାଡର୍ ମାଓବାଦୀ ଥିବା ବେଳେ ସଂଖ୍ୟା ବୃଦ୍ଧି ପାଇଁ ସେମାନଙ୍କ ପ୍ରୟାସ ଜାରି ରହିଛି। କିନ୍ତୁ ସୁରକ୍ଷା ବାହିନୀର କୁମ୍ବିଂ ଅପରେସନ୍‌ରେ ଅନେକ ମାଓବାଦୀ ମୃତାହତ ହେବା ସାଙ୍ଗକୁ ଅନେକ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ ଫଳରେ ଲାଲ୍‌ବାହିନୀ ଶକ୍ତି ହରାଇବାରେ ଲାଗିଛି ବୋଲି ସେ କହିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ, ବାଲିଗୁଡା ଏସ୍‌ଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ, ବିଏସ୍ଏଫ୍ ଓ ସିଆର୍‌ପିଏଫ୍ କମାଣ୍ଡାଣ୍ଟ ଉପସ୍ଥିତ ଥିଲେ।

Comments are closed.