ଉଦଘାଟିତ ହେଲା ଲହରଙ୍ଗା ନଦୀରେ ନୂତନ ସେତୁ, ଶହେରୁ ଉର୍ଦ୍ଧ୍ବ ଗାଁକୁ ଫିଟିଲା ରାସ୍ତା

ସମ୍ବଲପୁର : ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ପ୍ରାୟ ଶହେରୁ ଅଧିକ ଗାଁର ଲୋକଙ୍କ ମୁହଁରେ ହସ ଫୁଟିଛି। ସ୍ବାଧୀନତାର ୭୫ ବର୍ଷ ପରେ ବି ସେତୁ ଟିଏ ପାଇଁ ଲକ୍ଷାଧିକ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ। ହେଲେ ବର୍ତ୍ତମାନ ଲହରଙ୍ଗା ନଦୀରେ ନୂତନ ସେତୁ ଉଦଘାଟିତ ହେବା ପରେ ଦୁଇ ଜିଲ୍ଲାର ୧୧ ପଞ୍ଚାୟତବାସୀ ବିକାଶର ନୂଆ ସୋପାନରେ ପାଦ ଥାପିଛନ୍ତି। ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଗତକାଲି ଏହି ସେତୁକୁ ଉଦଘାଟନ କରିଛନ୍ତି।

ବାମରା ବ୍ଲକର ପିଣ୍ଡାପଥର ନିକଟରେ ବୋହିଯାଇଥିବା ଲହରଙ୍ଗା ନଦୀ ପାଇଁ ଏକ ବିରାଟ ଭୂଖଣ୍ଡରେ ଗମନାଗମନ ସମସ୍ୟା ଲାଗି ରହିଥିଲା। ଫଳରେ ଏହି ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା। ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ନୂତନ ସେତୁ ପ୍ରକଳ୍ପକୁ ମଞ୍ଜୁର କରିଥିଲେ। ଆଉ ପୂର୍ବରୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ବାରା ଏହାର ଶିଳାନ୍ୟାସ କରାଯାଇଥିଲା। ଆଉ ଗତକାଲି ଏହା ଉଦଘାଟିତ ହୋଇଛି। ଫଳରେ
ଏହି ସେତୁ ଦ୍ବାରା ହଜାର ହଜାର ଲୋକଙ୍କ ଯାତାୟତ ସୁବିଧା ହୋଇ ପାରିଛି। ଗୋବିନ୍ଦପୁର, ବାଉଶଲଗା, କୁଟାରୀମାଲ, ପିଣ୍ଡାପଥର, ଗରପୋଷ, କାଳିଆପଡା, ଫିରିଙ୍ଗିବାହାଲ, ଲାଲବୀରା, ସାଗର, କିନାବଗା, ରବଗା, ଉଚକପାଟ, ରଙ୍ଗିଆଟିକିରା ସମେତ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ, କୁତ୍ରା, ପାମାର ଗ୍ରାମ ପଞ୍ଚାୟତବାସୀ ବିଶେଷ ଭାବେ ଉପକୃତ ହେବେ। ବିଶେଷ କରି ବାମରା, ସୁଦରଗଡ଼, ରାଜଗାଙ୍ଗପୁର, ରାଉରକେଲା ଯିବାକୁ ଏହି ସେତୁ ବହୁ ମାତ୍ରାରେ ସହାୟକ ହୋଇପାରିବ। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ଏହି ସେତୁ ଦ୍ବାରା ଏଣିକି ୧୦୮ ଏବଂ ୧୦୨ ପରି ଆମ୍ବୁଲାନ୍ସ ସେବା ବି ଏହି ଉପାନ୍ତ ଇଲାକାର ଲୋକେ ସହଜରେ ପାଇପାରିବେ। ପ୍ରାୟ ୫୪୭.୫୧ ଲକ୍ଷ ଟଙ୍କାରେ ନିର୍ମିତ ଏହି ସେତୁର ଲମ୍ବ ୯୧.୮ ମିଟର ଓ ପ୍ରସ୍ତ ୭.୫ମିଟର ରହିଛି।
ଗତକାଲିର ଉଦଘାଟନ ପାଇଁ ଆସିଥିବା ମନ୍ତ୍ରୀ ଶ୍ରୀ ଘଡେଇଙ୍କୁ ପିଣ୍ଡାପଥର ଗାଁ ଛକରୁ ପ୍ରାୟ 2 କିଲୋମିଟର ଦୂରରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇ ସେତୁ ସ୍ଥଳକୁ ନିଆଯାଇଥିଲା। ପରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଶ୍ରୀ ଘଡେଇ ଯୋଗଦେଇ ଉଦବୋଧନ ଦେଇଥିଲେ। ପୂର୍ବତନ ବାମରା ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ, ବାମରା ବ୍ଲକ ଜୋନ 1 ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଟପ୍ପୋ, ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ଉପ ସଭାପତି ପ୍ରଦୀପ କୁମାର ମିଶ୍ର, ପୂର୍ବତନ ବାମରା ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ବ୍ଲକ ସଭାପତି ରାମଲାଲ ଓଝା, ପିଣ୍ଡା ପଥର ପଞ୍ଚାୟତ ସରପଞ୍ଚ ବିରଞ୍ଚି ମାଝିଙ୍କ ସମେତ କ୍ରୀଷ୍ଣା ଖଣ୍ଡେଲବାଲ, ପ୍ରବୀଣ କବାଟ ପ୍ରମୁଖ ବହୁ ସରପଞ୍ଚ ଓ ସମିତି ସଭ୍ୟ ସାମିଲ ହୋଇଥିଲେ।

Comments are closed.