ମହକୁଛି ପାରମ୍ପରିକ ପିଠାପଣା: ଓରମାସର ଦୀପାବଳି ଭେଟି- ଆମର୍ ଦରବ୍

ବରଗଡ଼ : ଖୁଆ ପିଠା , ଆରିସା , କାକରା , ବାରଗୁଲିଆ , ଠେଁଟରି .. । ଏଭଳି ଗୁଡ଼ାଏ ପିଠାପଣା ଆଉ କ୍ବଚିତ ଦେଖିବାକୁ ମିଳୁଛି । ପୂର୍ବରୁ କୌଣସି ପର୍ବପର୍ବାଣି ହେଲେ ଏସବୁ ବ୍ୟଞ୍ଜନ ଘରେ ଘରେ ପ୍ରସ୍ତୁତ ହେଉଥିଲା । କିନ୍ତୁ ଫାଷ୍ଟଫୁଡ୍ ଜମାନାରେ ଏହି ପାରମ୍ପରିକ ପିଠାପଣା ଲୋପ ହୋଇସାରିଛି । ତେବେ ବରଗଡ଼ ଜିଲ୍ଲା ଲସ୍ତଲା ଗାଁର ମା ‘ ସୌଭାଗ୍ୟଲକ୍ଷୀ ଲଡୁ ଉତ୍ପାଦକ ଗୋଷ୍ଠୀ ଏହି ପାରମ୍ପାରିକ ପିଠାପଣା ଏବଂ ଅନ୍ୟ ବିଲୁପ୍ତ ବ୍ୟଞ୍ଜନକୁ ବଂଚାଇ ରଖିଛି । କେବଳ ସେତିକି ନୁହେଁ , ଏହାର ବଜାର ବ୍ୟବସ୍ଥା ଏବଂ ବିପଣନ ଓର୍‌ମାସ୍‌ ସହାୟତାରେ ସମ୍ଭବ ହୋଇଛି ।

ବର୍ତମାନ ଏସ୍‌ପି ଅଫିସ୍ ଛକ ଏହି ପାରମ୍ପରିକ ପିଠାପଣାର ବାସ୍ନାରେ ମହକୁଛି । ଦୀପାବଳି ପାଇଁ ଓର୍‌ମାସ୍‌ ସହାୟତାରେ ଏହି ଗୋଷ୍ଠୀ ଏକ ଅସ୍ଥାୟୀ ଷ୍ଟଲ୍ ଖୋଲିଛି । ଯେଉଁଠି ଏହି ପିଠାପଣା ରହିଛି । ପୁଂଗିଆ ଖଜା , ମିଠା ଗଜା , ରସବରା , ଗୋଲାପ ଜାମୁନ୍ ସଂଗେ ଅନ୍ୟ ବ୍ୟଞ୍ଜନ ଏଠାରେ ମିଳୁଛି । କେବଳ ସେତିକି ନୁହଁ , ଗୋବର ଏବଂ ମାଟିରେ ତିଆରି ଦୀପ , ଜଡ଼ା ତେଲ ବି ଉପଲବ୍ଧ ରହିଛି । ଯଦିଓ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇନାହିଁ । କିନ୍ତୁ ଭିଡ଼ ଲାଗି ରହୁଛି । ଏସବୁ ପିଠାପଣାର ପ୍ୟାକିଂ ମଧ୍ୟ ଉନ୍ନତମାନର ରହିଛି । ଗାଁରେ ଥାଇ ଏହି ମହିଳାମାନେ କୌଣସି ବ୍ରାଣ୍ଡେଡ୍ ମିଠା ଦୋକାନ ଭଳି କାରବାର ଆରମ୍ଭ କରି ସ୍ବାବଲମ୍ବୀର ଏକ ନୂତନ ପରିଚୟ ସୃଷ୍ଟି କରିଛନ୍ତି ।

Comments are closed.