ବୁଗୁଡ଼ା: ବଜ୍ରପାତରେ ୭୭ ଛେଳିଙ୍କ ଜୀବନ ଗଲା 

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍‌ ମାଣିକପୁର ନିକଟରେ ବଜ୍ରପାତ ଘଟି ଏକକାଳୀନ ୭୭ଟି ଛେଳିଙ୍କ ଜୀବନ ଯାଇଛି। ଆହୁରି ମଧ୍ୟ ପଶୁପାଳକ କଞ୍ଚୁରୁ ଗ୍ରାମର ଶତ୍ରୁଘ୍ନ ପାତ୍ର ଓ ତାଙ୍କ ପୁଅ ଶଙ୍କର ପାତ୍ର ମଧ୍ୟ ଆହତ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ବାପା ପୁଅ ଦୁହେଁ ଛେଳି ଚରାଇ ଅନ୍ତରପଡ଼ା- ମାଣିକପୁର ରାସ୍ତାରେ ଫେରୁଥିବା ବେଳେ ଅଚାନକ ବର୍ଷା ଓ ପବନ ସହ ଘଡ଼ଘଡ଼ି ହୋଇ ବଜ୍ରପାତ ଘଟିଥିଲା। ଫଳରେ ସେମାନେ ଚରାଇବାକୁ ଆଣିଥିବା ୭୭ଟି ଛେଳି ମୃତ୍ୟୁବରଣ କରିଥିଲେ। ବାପା ପୁଅ ଦୁହେଁ ମଧ୍ୟ ଅଚେତ ହୋଇ ଯାଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ। ଚେତା ଫେରିବା ପରେ ନିଜର ଛେଳି ସବୁ ମରି ପଡ଼ିଥିବା ଦେଖି କାନ୍ଦି ପକାଇଥିଲେ ଶତ୍ରୁଘ୍ନ ଓ ଶଙ୍କର। ତହସିଲଦାର ସଂଗ୍ରାମ କେଶରୀ ଜେନା ଘଟଣାସ୍ଥଳକୁ ଯାଇ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ଆଶ୍ୱାସନା ଦେଇଛନ୍ତି।

Comments are closed.