ଏସଡ଼ିସିସି ବ୍ୟାଙ୍କ ନିର୍ବାଚନରେ ୪ ନିର୍ଦ୍ଦେଶକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ, ୩୦ରେ ୧୧ ପଦବି ପାଇଁ ମତଦାନ

ସମ୍ବଲପୁର : ପଞ୍ଚାୟତ ନିର୍ବାଚନ ପର ଠାରୁ ସମବାୟ ନିର୍ବାଚନକୁ ନେଇ ଗାଁ ରାଜନୀତି ସରଗରମ ରହି ଆସିଛି। ପ୍ୟାକ୍ସ ଓ ଲ୍ୟାମ୍ପସର ସଭାପତି ଓ ନିର୍ଦ୍ଦେଶକ ନିର୍ବାଚନ ପରେ ବର୍ତ୍ତମାନ କେନ୍ଦ୍ର ସମବାୟ ବ୍ୟାଙ୍କ ବରଗଡର ପରିଚାଳନା ବୋର୍ଡ଼ର ୧୫ ଜଣିଆ ନିର୍ଦ୍ଦେଶକ ପଦବି ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ଆସନ୍ତା ୩୦ ତାରିଖରେ ଭୋଟଗ୍ରହଣ ହେବ। ତେବେ, ଚୂଡାନ୍ତ ପ୍ରାର୍ଥୀପତ୍ର ପ୍ରକାଶ ପରେ ୪ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେପଟେ ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଥିବା ବେଳେ ବିରୋଧୀଙ୍କ ନିଷ୍କ୍ରିୟତା ଯୋଗୁଁ ଏହି ନିର୍ବାଚନରେ ବି ଶାସକ ବିଜେଡିର ପଲ୍ଲା ଭାରିଥିବା ଚର୍ଚ୍ଚା ହେଉଛି।

ଏସଡିସିସିର ପରିଚାଳନା ବୋର୍ଡର ୧୫ ଟି ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ୧୦୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ୫୭ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଫଳରେ ବର୍ତ୍ତମାନ ୪୭ ଜଣ ପ୍ରାର୍ଥୀଙ୍କ ମଧ୍ଯରେ ଲଢେଇ ହେଉଛି। ସେଥିରୁ ୪ଟି କ୍ଷେତ୍ର ପାଇଁ ଜଣେ ମାତ୍ର ପ୍ରାର୍ଥୀ ଥିବାରୁ ସେମାନେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ଅଶୋକ କୁମାର ବାରିକ, ଶ୍ରଦ୍ଧାଞ୍ଜଳୀ ସାହୁ, ପ୍ରଫୁଲ୍ଲ କୁମାର ନାଏକ ଓ ବାସନ୍ତୀ ପ୍ରଧାନ। ବର୍ତ୍ତମାନ ଅବଶିଷ୍ଟ ୧୧ଟି ନିର୍ଦ୍ଦେଶକ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯିବ। ଏନେଇ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନୀ ଚିହ୍ନ ଗତକାଲି ପ୍ରଦାନ କରାଯାଇଛି।

ସେହିକ୍ରମରେ ଓବିସିଙ୍କ ପାଇଁ ସଂରକ୍ଷିତ 1 ନମ୍ବର ନିର୍ବାଚନ ମଣ୍ଡଳୀରେ ୫ ଜଣ ପ୍ରାର୍ଥୀ ଥିବା ବେଳେ ୨ ନମ୍ବର(ଓବିସି)ରୁ ୨ ଜଣ, ୫ ନମ୍ବର (ଓବିସି)ରୁ ୫ ଜଣ, ୬ ନମ୍ବର (ଓବିସି)ରୁ ୫ ଜଣ, ୭ ନମ୍ବର (ସାଧାରଣବର୍ଗ)ରୁ ୮ ଜଣ, ୮ ନମ୍ବର (ଏସଟି)ରୁ ୪ ଜଣ, ୯ ନମ୍ବର (ଓବିସି)ରୁ ୬ ଜଣ, ୧୦ ନମ୍ବର (ଏସଟି)ରୁ ୨ ଜଣ, ୧୨ ନମ୍ବର (ଏସସି)ରୁ ୩ ଜଣ, ୧୩ (ଏସସି)ରୁ ୫ଜଣ, ୧୫ ନମ୍ବର (ଓବିସି)ରୁ ୨ ଜଣ ପ୍ରାର୍ଥୀ ଭୋଟ ଲଢ଼ିବାକୁ ଯାଉଥିବା ନିର୍ବାଚନ ଅଧିକାରୀ ଅଶୋକ ସାହୁ ସ୍ପଷ୍ଟ କରିଛନ୍ତି । ତେବେ ଆସନ୍ତା ୩୦ ଅକ୍ଟୋବର ଦିନ କୃତାର୍ଥ ଆଚାର୍ଯ୍ୟ ମ୍ୟାନେଜମେଣ୍ଟ ଇନଷ୍ଟଚ୍ୟୁଟରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ସେଥିପାଇଁ ଆଲଫାବେଟିକାଲି ପ୍ରାର୍ଥୀମାନଙ୍କୁ ବିଭିନ୍ନି ଚିହ୍ନମାନ ପ୍ରଦାନ କରାଯାଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ସେପଟେ ବିରୋଧୀଙ୍କ ନିଷ୍କ୍ରିୟତା ଯୋଗୁଁ ଏହି ନିର୍ବାଚନରେ ମଧ୍ଯ ବିଜେଡି ବାଜିମାତ କରିବା ନେଇ ଚର୍ଚ୍ଚା ଜୋର ଧରିଛି।

Comments are closed.