ବ୍ରହ୍ମପୁର ପୋଲିସର ଦଲାଲ ଧରପଗଡ଼ ଅଭିଯାନ, ଏମ୍‌କେସିଜିରୁ ୭ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍‌ଙ୍କ ଯୋଜନା କାମ କଲା। ରୋଗୀ ଓ ସମ୍ପର୍କୀୟଙ୍କ ଭଳି ଲୁଙ୍ଗି, ଟାଓ୍ବାଲ୍ ପିନ୍ଧି ଗାଉଁଲିଆ ଲୋକଙ୍କ ପରି ବ୍ରହ୍ମପୁର ବଡ଼ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଖେଳି ଯାଇଥିଲେ ପୋଲିସ କର୍ମଚାରୀ। ଅସହାୟଙ୍କ ଭଳି ବାହାନା କରିବା ବେଳେ ସେମାନଙ୍କ ପାଖକୁ ଛୁଟି ଆସିଥିଲେ ଦଲାଲ। ଆଉ ସେମାନଙ୍କୁ କୌଶଳକ୍ରମେ କାବୁ କରି ନେଇଥିଲେ ପୋଲିସ କର୍ମଚାରୀ। ଖୋଦ୍ ଏସ୍‌ପିଙ୍କ ନେତୃତ୍ବରେ ମଙ୍ଗଳବାର ଏହି ସଫଳ ଅଭିଯାନରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରୁ ୭ ଜଣ ଦଲାଲଙ୍କୁ କାବୁ କରାଯାଇଛି।

ଗତ କିଛି ଦିନ ହେଲା ଅଭିଯୋଗ ହୋଇ ଆସୁଥିଲା ଯେ ବଡ଼ ଡାକ୍ତରଖାନାରେ ଦଲାଲମାନେ ଲୁଚାଛପାରେ ଦୌରାତ୍ମ୍ୟ ଚଳାଉଛନ୍ତି। କିଛି ମାସ ପୂର୍ବରୁ ବ୍ରହ୍ମପୁର ପୋଲିସ ଦ୍ବାରା ଏକ ଗ୍ୟାଙ୍ଗ୍ ଧରା ପଡ଼ିଥିଲା ଯେଉଁମାନେ କି ବସ୍‌ରୁ ଆରମ୍ଭ କରି ଏମ୍‌କେସିଜି ପର୍ଯ୍ୟନ୍ତ ନିଜ ନେଟ୍‌ୱାର୍କ ବିଛାଇ ରୋଗୀଙ୍କୁ ଭ୍ରମିତ କରାଇ ଘରୋଇ ନିଦାନ କେନ୍ଦ୍ର, ଘରୋଇ କ୍ଲିନିକ୍ ବା ନସିଂ ହୋମ୍‌କୁ ନେଇ ଯାଉଥିଲେ ଓ ପରେ ଆର୍ଥିକ ଶୋଷଣର ଶିକାର କରୁଥିଲେ। ଏପରିକି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ କିମ୍ବା ମୃତଦେହ ଗାଁକୁ ନେବା ବେଳେ ଶବବୁହା ଭ୍ୟାନ୍ ଯୋଗାଡ଼ କରିବା ବେଳେ ମଧ୍ୟ ସେମାନେ ନିଜର ଫାଇଦା ଉଠାଇ ନେଉଥିଲେ। କିଛି ଦଲାଲ ଆଉଟ୍‌ଡୋର୍ ଟିକଟ ଜଲଦି କରାଇଦେବା, ଡାକ୍ତରଙ୍କୁ ଶୀଘ୍ର ଦେଖା କରାଇଦେବା ଆଳରେ ଠକୁଥିଲେ। ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ବ୍ରହ୍ମପୁର ଏସ୍‌ପି ନିଜେ ୧୫ ଜଣ ବଛା ବଛା ପୋଲିସ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଢ଼ି ଏହା ବିରୋଧରେ ମଙ୍ଗଳବାର ଅଭିଯାନ ଚଳାଇଥିଲେ। ଦଲାଲଙ୍କୁ ଧରିବାକୁ ଏସପି ନିଜେ ଯୋଜନା କରିଥିଲେ। ପୋଲିସ କର୍ମଚାରୀଙ୍କୁ ଛଦ୍ମ ବେଶରେ ବିଭିନ୍ନ ୱାର୍ଡକୁ ପଠାଇଥିଲେ। ସେମାନେ ସେଠାରେ ଅସହାୟ ରୋଗୀ ଓ ସମ୍ପର୍କୀୟଙ୍କ ଭଳି ଅଭିନୟ କରିବା ପରେ ଦଲାଲମାନଙ୍କୁ ଠାବ କରି ଜାବୁ କରି ନେଇଥିଲେ। ନ୍ୟୁରୋ ସର୍ଜରୀ ବିଭାଗ, ଆଉଟ୍‌ଡୋର୍ ଆଦି ସ୍ଥାନରୁ ଦଲାଲମାନଙ୍କୁ କାବୁ କରାଯାଇ ଥିଲା। ଏହି ଦଲାଲମାନଙ୍କ ମଧ୍ୟରେ କିଛି ଜଣେ ଏମ୍‌କେସିଜି କର୍ମଚାରୀଙ୍କ ସମ୍ପର୍କୀୟ ମଧ୍ୟ ରହିଥିବା ଅଭିଯୋଗ ହୋଇଛି।

ଅଭିଯାନ ସଫଳ ହେବା ପରେ ଖୋଦ୍ ଏସ୍‌ପି ନିଜେ ଏମ୍‌କେସିଜି ପୋଲିସ ଫାଣ୍ଡିରେ ପହଞ୍ଚି ଏହାର ତଦାରଖ କରିଥିଲେ। ଏସ୍‌ପି ଡା. ସର୍ବଣା ବିବେକ ଏମ୍ କହିଛନ୍ତି ଯେ- ଏମକେସିଜିରୁ ଅଭିଯୋଗ ଆସିଥିଲା ଯେ କିଛି ଦଲାଲ କମିଶନ୍ ଲାଭ ପାଇବା ପାଇଁ ବଡ଼ ଡାକ୍ତରଖାନାରୁ ରୋଗୀ ବିଶେଷ କରି ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀଙ୍କୁ ରେଡିଓଲୋଜି ଟେଷ୍ଟ, ଲ୍ୟାବ୍‌ ଟେଷ୍ଟ, ଏକ୍ସରେ, ସିଟି ସ୍କାନ୍, ଅଲଟ୍ରାସାଉଣ୍ଡ୍, ସର୍ଜରୀ ଓ ସ୍ବତନ୍ତ୍ର ଅପରେସନ୍ ଟେଷ୍ଟିଂ ପାଇଁ ଘରୋଇ ନିଦାନ କେନ୍ଦ୍ର ବା କ୍ଲିନିକ୍‌କୁ ଟାଣି ନେଉଥିଲେ। ଏପରିକି ବାହାର ଔଷଧ ଦୋକାନକୁ ମଧ୍ୟ ସାଥିରେ ନେଇ ଯାଉଥିଲେ। ଫଳରେ ସରକାରଙ୍କ ଦ୍ବାରା ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ବା ମାଗଣା ଔଷଧ ପାଇବା ବଦଳରେ ସେହି ଗରିବ, ଗ୍ରାମାଞ୍ଚଳର ରୋଗୀ ଆର୍ଥିକ ଶୋଷଣର ଶିକାର ହେଉଥିଲେ। ଏଭଳି ଅଭିଯୋଗ ଆସିବା ପରେ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା ଯେଉଁମାନେ ସିଭିଲ୍ ଡ୍ରେସ୍‌ରେ ପୀଡ଼ିତ ବା ରୋଗୀ ଭାବେ ଥିଲେ। ଦଲାଲମାନେ ସେମାନଙ୍କୁ ଚିଟିଂ କରିବା ପାଇଁ ଆସିବା ବେଳେ ପୋଲିସ ସେମାନଙ୍କୁ କାବୁ କରି ନେଇଥିଲା। ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ପୋଲିସ ଆଗକୁ ମଧ୍ୟ ଏଭଳି ଅଭିଯାନ ଜାରି ରଖିବ ବୋଲି ବ୍ରହ୍ମପୁର ଏସ୍‌ପି।

Comments are closed.