ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ, ସମ୍ବଲପୁରର ବହୁ ପ୍ରତୀକ୍ଷିତ ଫ୍ଲାଏଓଭର ଉଦଘାଟନ କାଲି

ସମ୍ବଲପୁର: ସମ୍ବଲପୁର ସହରବାସୀଙ୍କ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତ ହୋଇଛି। ଆସନ୍ତାକାଲି ସହରର ଦ୍ବିତୀୟ ଫ୍ଲାଏଓଭର ଉଦଘାଟନ ହେବାକୁ ଯାଉଛି। ସହରର ଫାଟକରୁ କଚେରୀ ଛକକୁ ସଂଯୋଗ କରୁଥିବା ୧୮୦୦ ମିଟର ଲମ୍ବ ଏହି ଫ୍ଲାଏଓଭର ବିଭିନ୍ନ କାରଣରୁ ନିର୍ମାଣରେ ବିଳମ୍ବ ହୋଇଥିଲା। ତେବେ, ଏହାର ଉଦଘାଟନ ଖବର ଲୋକଙ୍କ ମଧ୍ଯରେ ଉତ୍ସାହ ଖେଳାଇ ଦେଇଛି। ଏହି ଫ୍ଲାଏଓଭର ଆକର୍ଷଣୀୟ ଆଲୋକମାଳାରେ ଝଲସି ଉଠିଥିବା ବେଳେ ସମ୍ବଲପୁରୀ ଡିଜାଇନର ରଙ୍ଗରେ ଚିତ୍ରିତ ହୋଇଛି।

ସମ୍ବଲପୁର ସହରର ବର୍ଦ୍ଧିତ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସହରର ଧୁଚୁରାପଡାରୁ କଚେରୀ ଛକ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। ଏହାପରେ ୧୮ଶହ ମିଟର ଲମ୍ବ ଏବଂ ୭ ମିଟର ଓସାର ବିଶିଷ୍ଟ ଏହି ଫ୍ଲାଏଓଭରର ନିର୍ମାଣ କାମ ଆରମ୍ଭ ହୋଇଥିଲା। କଟକର ପଣ୍ଡା ଇନଫ୍ରା କଂପାନି ଏହାର ନିର୍ମାଣ କାମ ହାତକୁ ନେଇଥିଲା। ତେବେ, ସହରର ମୁଖ୍ଯ ରାସ୍ତାରେ ନିର୍ମାଣ ହୋଇଥିବାରୁ ଏହାର ଜମି ଅଧିଗ୍ରହଣ ମୁଖ୍ଯ ସମସ୍ୟା ପାଲଟିବାରୁ ନିର୍ମାଣରେ ବିଳମ୍ବ ହୋଇଥିଲା। ଏପରିକି ବର୍ଷକ ତଳୁ ଏହାର ନିର୍ମାଣ ଶେଷ ହୋଇଥିଲେ ହେଁ ସର୍ଭିସ ରୋଡ ପାଇଁ ଉଦଘାଟନ ହୋଇପାରିନଥିଲା। ତେବେ ଜିଲ୍ଲାପାଳ ଅନନ୍ୟା ଦାସ ଯୋଗଦେବା ପରଠାରୁ ଜମି ସମସ୍ୟାର ସମାଧାନ ତ୍ବରାନ୍ବିତ ହୋଇଥିଲା। ଆଉ ଇତିମଧ୍ୟରେ ସର୍ଭିସ ରୋଡ ନିର୍ମାଣ ବି ଶେଷ ହୋଇଛି। ଆସନ୍ତାକାଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସ୍ଥାନୀୟ ଏମପି, ବିଧାୟକ ଓ ଜିଲ୍ଲାପାଳ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ତେବେ, ଏହାର ଉଦଘାଟନ ପରେ ମୁଖ୍ଯ ରାସ୍ତାର ଟ୍ରାଫିକ ସମସ୍ୟାର ପ୍ରାୟତଃ ହୋଇଯିବ ବୋଲି କୁହାଯାଉଛି।

Comments are closed.