ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କଲେ ସିଏସ, ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ 

ସୁଆଣ୍ଡୋ – ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଉଦଘାଟିତ ହେବ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ଶନିବାର ସତ୍ୟବାଦୀ ଗସ୍ତରେ ଆସି ସୁଆଣ୍ଡୋ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସୁଆଣ୍ଡୋ ଠାରେ ନିର୍ମାଣାଧୀନ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିର, ଉତ୍କଳମଣିଙ୍କ ଷଠୀଘର, କୂଳଦେବତା ରାଧା ବିନୋଦ ବିହାରୀଙ୍କ ମନ୍ଦିର, ସଂଗ୍ରହାଳୟ, ପ୍ରମୋଦ ଉଦ୍ୟାନ, ପୁଷ୍କରିଣୀ ଏବଂ ଓଡିଶାର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳ ପରିଦର୍ଶନ କରିଥିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ଏହି ଉନ୍ନୟନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ସୁଆଣ୍ଡୋ ଗ୍ରାମରେ ଭୂତଳ କେବୁଲରେ ବିଦ୍ୟୁତ ଯୋଗାଣ କାର୍ଯ୍ୟ ଶେଷ ହୋଇଛି । ଗ୍ରାମ ଦାଣ୍ଡର ମଧ୍ୟ ଉନ୍ନତି କରଣ କରାଯିବ । ଡିସେମ୍ବର ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଛନ୍ତି।

Comments are closed.