ବାତ୍ୟା ବିପଦ ନାହିଁ, ତଥାପି ସତର୍କ ଗଞ୍ଜାମ ପ୍ରଶାସନ: ମତ୍ସ୍ୟଜୀବୀଙ୍କୁ ମନା, ବେଳାଭୂମିକୁ ୨୬ ପର୍ଯ୍ୟନ୍ତ ବାରଣ

ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ଏବେ ବାଂଲାଦେଶମୁହାଁ। ଯଦିଓ ଗଞ୍ଜାମ ଜିଲ୍ଲା ପ୍ରତି ବାତ୍ୟାର କୌଣସି ବିପଦ ନାହିଁ, ତଥାପି ଏହା ପ୍ରଭାବରେ ବଙ୍ଗୋପସାଗର ସମୁଦ୍ର ଅଶାନ୍ତ ରହିବା ସହ ଗୋପାଳପୁର ବେଳାଭୂମିରେ ଉଚ୍ଚ ଜୁଆର ଉଠୁଛି। ଏଣୁ ସତର୍କତା ଦୃଷ୍ଟିରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବେଳାଭୂମିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏଥିସହ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଯିବା ପାଇଁ ବାରଣ କରାଯାଇଛି। ନିର୍ଦ୍ଦେଶ ଅମାନ୍ୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାଇ ଦେଇଛି ଜିଲ୍ଲା ପ୍ରଶାସନ।

ଗୋପାଳପୁର ସମୁଦ୍ରରେ ଉଚ୍ଚ ଲହଡ଼ି ଉଠୁଛି। ବେଳାଭୂମି ଅଶାନ୍ତ ପରିଲକ୍ଷିତ ହେଉଛି। ତେଣୁ ଯେକୌଣସି ଅଞ୍ଚଳରୁ ଆସିଥିବା ପର୍ଯ୍ୟଟକ ହୁଅନ୍ତୁ ବା ଆଖପାଖ ଅଞ୍ଚଳର ଜନସାଧାରଣ, ସେମାନଙ୍କୁ ସମୁଦ୍ରତଟ ଯିବା ପାଇଁ ମନା କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରିଛି ଗୋପାଳପୁର ଥାନା ପୋଲିସ। ବେଳାଭୂମିରେ ପାଟ୍ରୋଲିଂ ଆରମ୍ଭ କରିଦେବା ସହ ବେଳାଭୂମିରୁ ଉଠା ଦୋକାନୀ, ପର୍ଯ୍ୟଟକ, ସାଧାରଣ ଲୋକଙ୍କୁ ଦୂରେଇ ରଖିଛି ପୋଲିସ। ରବିବାର ଛୁଟି ଦିନ ଥିବାରୁ ବହୁ ଲୋକ ଗୋପାଳପୁର ବୁଲିବାକୁ ଆସିଥିଲେ। ହେଲେ ପୋଲିସ ସେମାନଙ୍କୁ ସମ୍ଭାବ୍ୟ ବିପଦର ସୂଚନା ଦେବା ସହ ସେମାନଙ୍କୁ ସମୁଦ୍ରରୁ ଦୂରେଇ ଯିବାକୁ ସତର୍କ କରାଇ ଦିଆଯାଇ ଥିଲା। ଏଥିସହ ପୋଲିସ ବେଳାଭୂମିକୁ ଆସୁଥିବା ଲୋକଙ୍କୁ ମଧ୍ୟ ବାରଣ କରିଥିଲା। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ବେଳାଭୂମିରେ ମୁତୟନ ରହି ସମୁଦ୍ରତଟକୁ ଲୋକଙ୍କୁ ଆସିବାକୁ ବାରଣ କରିବା ସହ ବେଳାଭୂମିରୁ ଲୋକଙ୍କୁ ଦୂରେଇ ରଖିବ ବୋଲି ଜଣାଯାଇଛି।

ଅପରପକ୍ଷରେ ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବୈଠକ ହୋଇଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମୁଦ୍ରକୁ ମତ୍ସ୍ୟଜୀବୀମାନଙ୍କୁ ଯିବା ପାଇଁ ମତ୍ସ୍ୟବିଭାଗ ବାରଣ କରିଛି। ମତ୍ସ୍ୟଜୀବୀ ରହୁଥିବା ବିଭିନ୍ନ ଗାଁ କମିଟିରୁ ଏ ନେଇ ସହମତିପତ୍ର ଅଣାଯାଇଛି ଯେ ସେହି ଗାଁର ମତ୍ସ୍ୟଜୀବୀମାନେ ବାତ୍ୟା ବିପଦ ସମ୍ପୂର୍ଣ୍ଣ ଟଳିବା ପର୍ଯ୍ୟନ୍ତ ମାଛ ଧରିବାକୁ ସମୁଦ୍ର ଭିତରକୁ ଯିବେ ନାହିଁ। ଏଥିସହ ପ୍ରଶାସନ ସତର୍କ କରାଇ ଦେଇଛି ଯେ ଯଦି ମତ୍ସ୍ୟଜୀବୀମାନେ ସମୁଦ୍ରକୁ ଯାଆନ୍ତି ତେବେ ସେମାନଙ୍କ ବିରୋଧରେ ମୋକଦ୍ଦମା ଋଜୁ କରାଯିବ। ନିର୍ଦ୍ଦେଶ ଅମାନ୍ୟ କଲେ ଡଙ୍ଗା ଚଳାଇବା ପାଇଁ ପ୍ରଦତ୍ତ ଲାଇସେନ୍ସ ମଧ୍ୟ ରଦ୍ଦ କରି ଦିଆଯିବ। ଯେଉଁ ଉପକୂଳରୁ ଏହି ଡଙ୍ଗା ଓ ବୋଟ୍ ଯାଉଛି ତାହା ଉପରେ ନଜର ରଖିବା ପାଇଁ ପୋଲିସ, ସ୍ଥାନୀୟ ପ୍ରଶାସନ, ମତ୍ସ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଆନ୍ଧ୍ର ପଟୁ ଯଦି ମତ୍ସ୍ୟଜୀବୀ ଆସୁଥାଆନ୍ତି ସେମାନଙ୍କୁ ମଧ୍ୟ ରୋକିବା ବ୍ୟବସ୍ଥା କରାଯାଇଛି।

ଯେଉଁମାନେ ୨- ୩ ଦିନ ମଧ୍ୟରେ ପ୍ରସବ କରିବାକୁ ଯାଉଛନ୍ତି ସେମାନଙ୍କୁ ଆଗୁଆ ସୁରକ୍ଷିତ ସନ୍ତାନ ଜନ୍ମ ସକାଶେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କୌଣସି ବ୍ୟତିକ୍ରମ ପରିସ୍ଥିତିରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି। କ୍ରମାଗତ ବର୍ଷା ହେଲେ ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କୁ ସଜାଗ ରହିବା ନେଇ ବ୍ଲକ୍ ଓ ତହସିଲ ପକ୍ଷରୁ ସଚେତନତା କରାଯାଇଛି। ଆବଶ୍ୟକ ହେଲେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ନିଷ୍ପତ୍ତି ନେଇଛି ପ୍ରଶାସନ। ସମସ୍ତ ଡ୍ୟାମ୍‌ଗୁଡ଼ିକର ଜଳସ୍ତର ପ୍ରତି ନଜର ରଖିବା ସହ ଆବଶ୍ୟକସ୍ଥଳେ ଜଳ ନିଷ୍କାସନ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି।

Comments are closed.