ଆଲୋକର ପର୍ବ ଦୀପାବଳି ପରଦିନ ଶୁକ୍ଳପ୍ରତି- ପ୍ରଦା ତିଥିରେ ପାଳନ କରାଯାଏ ଶ୍ରୀଗୋବର୍ଦ୍ଧନ ପୂଜା। ଏହିଦିନ ମାସବ୍ୟାପୀ କାର୍ତ୍ତିକବ୍ରତ ରଖିଥିବା ବ୍ରତଧାରୀ ମାନେ ବୃନ୍ଦାବତୀ ଚୌରା ମୂଳରେ ସ୍ୱତନ୍ତ୍ର ପ୍ରସାଦ ନିବେଦନ କରି ସମ୍ମିଳିତ ଭାବରେ ପ୍ରସାଦ ସେବନ। ଅନେକ ଶ୍ରଦ୍ଧାଳୁ ନିଜ ଘର ଅଗଣାରେ ଗୋବର ଲିପି ପୂଜା କରିଥାନ୍ତି।ଏହିଦିନ ବୃନ୍ଦାବନ ଏବଂ ମଥୁରା ସମେତ ଦେଶର ଅନେକ ଅଞ୍ଚଳରେ ଗୋର୍ବଦ୍ଧନ ପୂଜା ବେଶ ଧୁମ- ଧାମରେ ପାଳନ କରାଯାଏ।
ଅନେକ ମଠ ମନ୍ଦିର ରେ ଥିବା ଶ୍ରୀଗୋବର୍ଦ୍ଧନ ଶିଳା ଙ୍କୁ ସ୍ୱତନ୍ତ୍ର ଅଭିଷେକ କରାଯାଇ ଥାଏ। ଏହାସହ ସର୍ବତ୍ର ଅନ୍ନକୂଟ ମହୋତ୍ସବ ପାଳନ କରାଯାଇଥାଏ। ଏହିଦିନ ୬୪ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଶ୍ରୀଗୋବର୍ଦ୍ଧନ ଙ୍କୁ ନିବେଦନ କରାଯାଏ। ଅନ୍ନ ବ୍ୟଞ୍ଜନ ପାତ୍ର ଉପରେ ଗିରିରାଜ ଙ୍କୁ ଉପବେଶନ କରାଇ ଭୋଗ ନିବେଦନ କରାଯାଇଥାଏ। ଏଣୁ ଏହାକୁ ଅନ୍ନକୂଟ ମହୋତ୍ସବ କୁହାଯାଏ। ଏହି ପ୍ରସାଦକୁ କାର୍ତ୍ତିକ ବ୍ରତରେ ବାରଣ ଥିବା ଦ୍ରବ୍ୟ ପଡ଼ିଥିଲେ ମଧ୍ୟ ବ୍ରତଧାରୀ ଗ୍ରହଣ କରିବାରେ କିଛି ଦୋଷ ନଥାଏ।ପ୍ରବାଦ ରହିଛି ବର୍ଷର ଏହି ଗୋଟିଏ ଦିନ ବ୍ରଜେନ୍ଦ୍ର ନନ୍ଦନ ଶ୍ୟାମସୁନ୍ଦର ସାକ୍ଷାତ ଗିରିରାଜ ରୂପରେ ନିଜ ସ୍ଵହସ୍ତରେ ଭୋଜନ ଗ୍ରହଣ କରିଥାନ୍ତି।
ଏହିଦିନ ଗୋବର୍ଦ୍ଧନ ପୂଜା ଅବସରରେ ଗିରିରାଜ ଗୋବର୍ଦ୍ଧନ ପର୍ବତର ପୂଜା କରାଯାଇଥାଏ। ପୌରାଣିକ ମତରେ, ଗୋକୂଳର ଲୋକମାନେ ଇନ୍ଦ୍ରଙ୍କର ପୂଜା କରି ଆସୁଥିଲେ।ଯାହାଙ୍କୁ ବର୍ଷାର ଦେବତା ମଧ୍ୟ କୁହାଯାଇଥାଏ। ତେବେ ଭଗବାନ କୃଷ୍ଣ ଗୋକୂଳ ଲୋକମାନଙ୍କର ଭାବନାରେ ପରିବର୍ତ୍ତନ ଆଣି ଦେଇଥିଲେ। ଇନ୍ଦ୍ରଙ୍କ ବଦଳରେ ଗୋବର୍ଦ୍ଧନ ପର୍ବତରପୂଜା କରିବା ପାଇଁ ସେ ଲୋକଙ୍କୁ ପ୍ରବର୍ତାଇ ଥିଲେ। ଭଗବାନ କୃଷ୍ଣ ଲୋକଙ୍କୁ ବୁଝାଇଥିଲେ ଯେ ଏହି ଗୋବର୍ଦ୍ଧନ ପର୍ବତ ସବୁବେଳେ ସବୁ ସମୟରେ ବିଭିର୍ଣ୍ଣ କଠିନ ପରିସ୍ଥିତରେ ମଧ୍ୟ ଆପଣମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ପ୍ରଦାନ କରି ଆସୁଛି। ତେଣୁ ଗୋବର୍ଦ୍ଧନ ପର୍ବତର ପୂଜା କରାଯିବ ଉଚିତ। ଏହାପରେ ଲୋକେ ଗୋବର୍ଦ୍ଧନ ପର୍ବତର ପୂଜା କରିବା ଆରମ୍ଭ କରି ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ଇନ୍ଦ୍ର ସେଠାରେ ପ୍ରବଳ ବର୍ଷା କରାଇଲେ। ଲୋକ ମାନଙ୍କୁ ବଞ୍ଚାଇବା ପାଇଁ ଭଗବାନ କୃଷ୍ଣ ତାଙ୍କ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତକୁ ଟେକି ଧରିଥିଲେ। ଏବଂ ଲୋକମାନେ ସେହି ପର୍ବତ ତଳେ ଆଶ୍ରୟ ନେଇଥିଲେ।
ସେହି ପବିତ୍ର ଦିନଟି ଥିଲା କାର୍ତ୍ତିକ ଶୁକ୍ଳ ପ୍ରତିପ୍ରଦା ତିଥି। ଗିରିରାଜ ମହାରାଜ ସେଦିନ ସମସ୍ତ ବ୍ରଜବାସୀ ଙ୍କ ହସ୍ତରୁ ପ୍ରସାଦ ଗ୍ରହଣକରି ସେମାନ ଙ୍କୁ ଧନ୍ୟ କରିଥିଲେ। ଏହିସ୍ମୃତି କୁ ମନେ ପକାଇ ବ୍ରଜବାସୀ ଗଣ ଉକ୍ତଦିନ ଅନ୍ନକୂଟ ବା ଗୋବର୍ଦ୍ଧନ ପୂଜା କରିଥାନ୍ତି। ଯାହା ବର୍ତ୍ତମାନ ସାରା ଭାରତରେ ଏବେ ବହୁ ଆଡମ୍ବର ସହକାରେ ପାଳନ କରାଯାଉଛି।ବିଶେଷ କରି ବୈଷ୍ଣବ ବୃନ୍ଦ ଏହି ଉତ୍ସବ କୁ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି।
Comments are closed.