ପ୍ରଥମ ମାଣ୍ଡିଆ ଦିବସ ପାଳନ ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ କୃଷି ମନ୍ତ୍ରୀ

ଭୁବନେଶ୍ବର – ନଭେମ୍ବର ୧୦ ତାରିଖରେ ପ୍ରଥମ ଥର ପାଇଁ ରାଜ୍ୟରେ ପାଳନ ହେବ ‘ମାଣ୍ଡିଆ ଦିବସ’ । ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ରାଜ୍ୟରେ ‘ମାଣ୍ଡିଆ ଦିବସ’ ପାଳନ ହେବ । ଏହି ଦିବସ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

କୃଷି ଭବନରେ ଆୟୋଜିତ ମାଣ୍ଡିଆ ଦିବସ ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ମାଣ୍ଡିଆ ଚାଷ ନିମନ୍ତେ ୩ ବର୍ଷ ପାଇଁ ହେକ୍ଟର ପିଛା ୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରି ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅତିରିକ୍ତ ୧୧ଟି ଜିଲ୍ଲାର ୩୪ଟି ବ୍ଲକକୁ ଓଡ଼ିଶା ମିଲେଟ ମିଶନକୁ ସଂପ୍ରସାରିତ କରାଯାଇଛି । ଫଳରେ ରାଜ୍ୟର ୩୦ଟି ଜିଲ୍ଲାର ୧୭୭ଟି ବ୍ଲକର ଓଡ଼ିଶା ମିଲେଟ୍‌ ମିଶନ କାର୍ଯ୍ୟ କରୁଛି । ମାଣ୍ଡିଆ ଚାଷ ନିମନ୍ତେ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ବର୍ଷାପୁଷ୍ଟ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ପଦକ୍ଷେପ ନିଆଯାଇଛି । ବୃହତ୍‌ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମଧ୍ୟ ମାଣ୍ଡିଆ ଚାଷ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି କୃଷି ମନ୍ତ୍ରୀ କହିଛନ୍ତି । ମାଣ୍ଡିଆ ଚାଷ ମାଧ୍ୟମରେ ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି।

Comments are closed.