‘ପକ୍ଷୀ ମୁକ୍ତ ହୋଇଛି’, ଟ୍ୱିଟର ମାଲିକ ହେବା ପରେ ମସ୍କଙ୍କ ପ୍ରଥମ ଟ୍ବିଟ୍

ସାନ୍ ଫ୍ରାନ୍ସିସ୍କୋ: ଟ୍ୱିଟର ମାଲିକ ହେବା ପରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ପ୍ରଥମ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି, ‘ପକ୍ଷୀ ମୁକ୍ତ ହୋଇଛି।’ ଟ୍ବିଟରର ମାଲିକାନା ହାତେଇବା କ୍ଷଣି ମସ୍କ କମ୍ପାନୀର ଭାରତୀୟ ବଂଶୋଦ୍ଭବ ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇ ଦେଇଛନ୍ତି । ତେବେ ଏନେଇ ଟ୍ୱିଟର ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଟ୍ୱିଟର ମାଲିକାନା ହାତେଇବା ପରେ ମସ୍କ ଏବେ ଏହି ସୋସିଆଲ ମିଡ଼ିଆ କମ୍ପାନୀରେ ଖୋଲାଖୋଲି ଭାବେ ନିଜ ପ୍ରଭାବ ଜାହିର କରିବାରେ ଲାଗିଛନ୍ତି । ଗତକାଲି ଏକ ସିଙ୍କ୍ ସହିତ ସେ ଟ୍ୱିଟର ଅଫିସ୍ ପରିଦର୍ଶନ କରିଥିଲେ । ଏଥିସହ ମସ୍କ ସଂକେତ ଦେଇଥିଲେ ଯେ ସେ କିଛି ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ଟ୍ୱିଟରକୁ ମସ୍କ ନିଜ ନିୟନ୍ତ୍ରଣରେ ନେବା ପରେ ଏହି କମ୍ପାନୀରୁ ଇସ୍ତଫା ଓ ବରଖାସ୍ତ ଧାରା ଆରମ୍ଭ ହୋଇଛି। ଟେସଲା ସିଇଓ ମସ୍କ ଟ୍ୱିଟର କିଣିବା ପରେ ସିଇଓ ପରାଗ ଅଗ୍ରୱାଲଙ୍କ ସମେତ ସିଏଫଓ ନେଡ ସେଗାଲ ଆଇନ ବ୍ୟାପାର ମୁଖ୍ୟ ବିଜୟ ଗାଡେଙ୍କୁ କମ୍ପନୀରୁ ବିଦା କରାଯାଇଥିବା ଖବର ରହିଛି ।

ମସ୍କ ଟ୍ୱିଟ୍‌ କରି କହିଛନ୍ତି ଯେ ଆମେ ଏହି ପ୍ଲାଟଫର୍ମ ସହିତ ଏଥିପାଇଁ ଡିଲ୍ କରିଛୁ ଯାହା ଦ୍ଵାରା ଆଗାମୀ ପିଢ଼ି ଏକ କମନ୍ ଡିଜିଟାଲ୍ ସ୍ପେସ୍ ପାଇପାରିବେ। ଏଠାରେ ବିଭିନ୍ନ ବିଚାର ଧାରାର ଲୋକମାନେ କୌଣସି ହିଂସା ଓ ଘୃଣା ବିନା ଏକ ସୁସ୍ଥ ଆଲୋଚନା କରିପାରିବେ |

ଭବିଷ୍ୟତରେ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ବାମ ଏବଂ ଦକ୍ଷିଣପନ୍ଥୀ ସମର୍ଥକଙ୍କ ମଧ୍ୟରେ ବିଭାଜନ ହୋଇଯିବ ବୋଲି ମଧ୍ୟ ମସ୍କ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ବାରା ଘୃଣାର ପ୍ରସାର ହେବ ବୋଲି ସେ କହିଛନ୍ତି ‌।

Comments are closed.