ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ବିଜ୍ଞପ୍ତି

ଭୁବ‌ନେଶ୍ବର – ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପିଜି ସିଟ୍ ଗୁଡ଼ିକରେ ନାମ ଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଅନୁସାରେ ଯେଉଁମାନେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିଲେ ସେମାନେ ହିଁ ଏଥିଲାଗି ଆବେଦନ କରିପାରିବେ।  ନଭେମ୍ବର ୧ ତାରିଖ ଦିନ ୧୨ଟା ଠାରୁ ୩ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାମ୍ସ ୱେବସାଇଟରେ କମନ ଆପ୍ଳିକେସନ ଫର୍ମ ଉପଲବ୍ଧ ହେବ। ଇଚ୍ଛୁକ ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଆବେଦନ କରିପାରିବେ। ୪ ତାରିଖ ଦିନ ୨ଟା ବେଳେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ସାମଗ୍ରିକ ମାର୍କର ତାଲିକା ପ୍ରକାଶ ପାଇବ।

ସେହିପରି ନଭେମ୍ବର ୫ ତାରିଖରୁ ୨୧ ତାରିଖ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ନାମଲେଖା ସମ୍ପର୍କିତ କାର୍ଯ୍ୟକ୍ରମ ଶେଷ କରିବେ। ୨୩ରୁ ୨୫ ତାରିଖ ମଧ୍ୟରେ ନାମଲେଖା ତାଲିକା ପ୍ରକାଶ ପାଇବ ବୋଲି  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗ ଦର୍ଶାଇଛି ଯେ, ଯେଉଁ ଛାତ୍ରଛାତ୍ରୀ ପ୍ରଥମ, ଦ୍ୱିତୀୟ କିମ୍ବା ସ୍ପଟ୍ ନାମଲେଖା ସମୟରେ ନାମଲେଖାଇ ପରବର୍ତ୍ତୀ ସମୟରେ ସିଏଲସି ବା ୟୁଏଲସି ନେଇଯାଇଛନ୍ତି ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏହାସହ ଛାତ୍ରଛାତ୍ରୀ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ, ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେ ନାହିଁ ।

Comments are closed.