ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ଏଥର ବି ବିଜେଡିକୁ ଜିତାଇବାକୁ ଧାମନଗରବାସୀଙ୍କୁ ନବୀନଙ୍କ ଆହ୍ବାନ

ଭୁବନେଶ୍ବର- ଧାମନଗର ଉପନିର୍ବାଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ଭର୍ଚୁଆଲ ପ୍ରଚାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥିରେ ଅଛି । ସୁଖ ଦୁଃଖ ସବୁବେଳେ ଆପଣମାନଙ୍କ ପାଖରେ ଅଛି । ଆପଣମାନଙ୍କ ପାଇଁ କାମ କରିଆସୁଛି । ସବୁବର୍ଗର ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ବହୁତ ଖୁସି ଯେ କାଳିଆ ଯୋଜନା ହେଉ, ବା ମିଶନ ଶକ୍ତି, ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସବୁ ଯୋଜନାର ସୁବିଧା ଆପଣ ମାନଙ୍କ ପାଖରେ ପହଞ୍ଚି ପାରିଛି । ମାଆ ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କ ନୂଆ ପରିଚୟ ହୋଇଛି । ମାଆ ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି । ତେଣୁ ଜଣେ ମାଆଙ୍କଙ ଆପଣଙ୍କ ବିଧାୟକ ଭାବରେ ଦେଖିବାକୁ ମୁଁ ଚାହେଁ । ଆପଣମାନେ ବି ଚାହାନ୍ତି। ମାଆ ମାନେ ସବୁ ଦାୟିତ୍ବକୁ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ଆପଣମାନଙ୍କ ସହଯୋଗରେ ଓଡିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ କରିଛି । ଆପଣାନଙ୍କ ସହଯୋଗରେ ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୋର ପୁରା ବିଶ୍ବାସ ।”

ମୁଖ୍ୟମନ୍ତ୍ରୀ କହିଛନ୍ତିି ଯେ, ୨୦୧୯ ନିର୍ବାଚନରେ ଧାମନଗରବାସୀ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ବାସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ସେ ଋଣୀ ବୋଲି କହିଛନ୍ତି ନବୀନ।

ଧାମନଗରର ୬ଟିଯାକ ଜିଲ୍ଲା ପରିଷଦ ଆସନରେ ଭୋଟର ବିଜୁ ଜନତା ଦଳକୁ ସେବାର ସୁଯୋଗ ଦେଇଛନ୍ତି। ସେହିପରି ଧାମନଗର ଏନ.ଏ.ସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ବ ମଧ୍ୟ ବିଜେଡିକୁ ଦେଇଛନ୍ତି। ଏ ନିର୍ବାଚନରେ ବି ସେ ଧାରା ଜାରି ରହିବ ଏବଂ ଧାମନଗରର ବିକାଶ ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା । ଏ ସମୟ ଭିତରେ ଆମେ ପାଞ୍ଚ ବର୍ଷର କାମ କରିପାରିବା । ଏହା ସେ ନିଜେ ଦେଖିବେ। ଧାମନଗରର ବିକାଶ ଆହୁରି ଆଗକୁ ବଢିବ । ଏ ନିର୍ବାଚନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଂଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିବା ସହ ଧାମନଗରରେ ବିକାଶ ଦାୟିତ୍ବ ତାଙ୍କର ବୋଲି କହିଥିଲେ ।

Comments are closed.