ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପାଇଁ ପ୍ରାଶାସନିକ ପ୍ରସ୍ତୁତି

ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆସନ୍ତା ଓଡ଼ିଶା ଗସ୍ତ ନିମନ୍ତେ ବ୍ୟାପକ ପ୍ରାଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବୁଧବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ସନ୍ତୋଷ ବାଳା ରାଷ୍ଟ୍ରପତିଙ୍କ ଗସ୍ତ ସମ୍ୱନ୍ଧିତ ପ୍ରାଥମିକ ସୂଚନା ଉପସ୍ଥାପନ କରିଥିଲେ ।

ରାଷ୍ଟ୍ରପତି ଭବନରୁ ପ୍ରାପ୍ତ ପ୍ରାରମ୍ଭିକ ସୂଚନା ଭିତ୍ତିରେ ଗସ୍ତ କରିବାକୁ ଥିବା ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ସମସ୍ତ ବ୍ୟବସ୍ଥା ତ୍ରୁଟି ଶୂନ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ ପୋଲିସ ବିଭାଗ, ପୁରୀ ଜିଲ୍ଲା ପ୍ରଶାସନ, ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ମୁଖ୍ୟତଃ ରାଷ୍ଟ୍ରପତିଙ୍କ ଗସ୍ତ, ରହଣୀ ଓ ସଭା ଆଦି ସମୟରେ ଗାର୍ଡ ଅଫ୍ ଅନର, ଜାତୀୟ ସଂଗୀତ ବାଦନ, ବାରିକେଡ୍, ନିରାପତ୍ତା, ସ୍ୱାସ୍ଥ୍ୟ ସେବା, ଅଗ୍ନିଶ୍ରମ ସେବା, ଇଣ୍ଟରନେଟ୍ ଓ ଟେଲି ଯୋଗାଯୋଗ, ବୈଷୟିକ ଉପକରଣ, ଟ୍ରାଫିକ୍ ପରିଚାଳନା, ସାଧାରଣ ଆଇନ୍ ଶୃଙ୍ଖଳା, ଗଣମାଧ୍ୟମ ପାଇଁ ଅନୁମତି ଆଦି ବିଷୟରେ ଆଲୋଚନା ହୋଇଥିଲା । ରାଷ୍ଟ୍ରପତି ଗସ୍ତ କରିବାକୁ ଥିବା ପ୍ରତି ସ୍ଥାନରେ ପୋଲିସ ଏବଂ ସଂପୃକ୍ତ ବିଭାଗର ନୋଡାଲ୍ ଅଫିସର ନିୟୋଜିତ କରି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାସ ୧୦ ତାରିଖରେ ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ୧୦ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ସେଠାରୁ ସେ ପୁରୀ ଯାତ୍ରା କରିବେ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସିଂହଦ୍ୱାର ନିକଟସ୍ଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ କରିବେ । ତାପରେ ପୁରୀ ରାଜଭବନକୁ ଯିବେ । ଅପରାହ୍ନରେ ଭୁବନେଶ୍ୱର ଆସି ସହରର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଉତ୍କଳର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିମାନଙ୍କରେ ପୁଷ୍ପମାଲ୍ୟ ଓ ଶ୍ରଦ୍ଧାସୁମନ ଅର୍ପଣ କରିବେ ।

ପରେ ପରେ ରାଷ୍ଟ୍ରପତି ରାଜଭବନ ଗସ୍ତ କରିବେ ଓ ସେଠାରେ ସିଭିକ୍ ରିସେପନ୍ କାର୍ଯ୍ୟକ୍ରମ ହେବାର ପ୍ରସ୍ତାବ ଅଛି । ୧୦ ତାରିଖ କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଜଭବନରେ ବିଶ୍ରାମ ନେବେ ।

ଗସ୍ତର ଦ୍ୱିତୀୟ ଦିନରେ (୧୧ ନଭେମ୍ବର) ରାଷ୍ଟ୍ରପତି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର ସମ୍ଭାବନା ଅଛି । ପରେ ପରେ ରାଷ୍ଟ୍ରପତି ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଭାଷାରେ ଇଞ୍ଜିନିଅରିଂ ପୁସ୍ତକ ସମୂହ, ବିଜ୍ଞାନ ଓ ବୈଷୟିକ ଜ୍ଞାନ ଭାଷାକୋଷ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ବୈଷୟିକ ଭାଷାକୋଷ, ଏବଂ ବିବିଧ ଭାରତୀୟ ଭାଷାରେ ଜ୍ଞାନ ପୋର୍ଟାଲ୍ “ଇ-କୁମ୍ଭ” ଉନ୍ମୋଚନ କରିବେ । ଦ୍ୱିତୀୟ ଦିନ ଅପରାହ୍ନରେ ରାଷ୍ଟ୍ରପତି ମହୋଦୟା ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ପାଲାମ ବିମାନ ବନ୍ଦର ଅଭିମୁଖେ ପତ୍ୟାବର୍ତ୍ତନ ଯାତ୍ରା କରିବେ ।

ଆଜିର ବୈଠକରେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ କୁମାର ବଂଶଲଙ୍କ ସମେତ ସଂପୃକ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ପୁରୀ ଏବଂ ଖୋର୍ଦ୍ଧାର ଜିଲ୍ଲାପାଳ ଭିଡିଓ କନଫରେନ୍ସ ମାଧ୍ୟମରେ ଭାଗ ନେଇଥିଲେ ।

Comments are closed.