କୁହୁଡି ଯୋଗୁଁ ଓଲଟିଲା ବସ୍, ୧୨ ଯାତ୍ରୀ ଆହତ, ୨ ଗୁରୁତର

ଖୋର୍ଦ୍ଧା – ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଆଜି ଭୋରରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘନ କୁହୁଡ଼ି ଯୋଗୁ ବସ୍‌ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି । ୨ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରୁ ଏକ ଘରୋଇ ବସ୍‌ ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି ବଲାଙ୍ଗିରରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ମାତ୍ର ବାଘମାରୀ ନିକଟରେ କୁହୁଡ଼ି ଯୋଗୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାଖ ଏକ ବିଲକୁ ଓଲଟି ପଡ଼ିଥିଲା।

ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ବସ୍‌ର କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପ୍ରବଳ କୁହୁଡି କାରଣ ରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ବସ୍ ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି ।

Comments are closed.