କାଲି ଧାମନଗର ଉପନିର୍ବାଚନ ଫଳ, ଭୋଟ ଗଣତି ପାଇଁ ବ୍ୟାପକ ବ୍ୟବସ୍ଥା

ଭଦ୍ରକ – ରବିବାର ଆସିବ ଧାମନଗର ଉପନିର୍ବାଚନର ରାୟ । ଗତ ୩ ତାରିଖରେ ଏହି ଆସନରେ ଉପନିର୍ବାଚନ ଭୋଟ ଗ୍ରହଣ କରାଯାଇଥିଲା । ଗଣତି ପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ହେବ । ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ଟି ବୁଥ ଥିବାରୁ ୧୮ ରାଉଣ୍ଡ ଭୋଟ ଗଣତି ହେବ । ସକାଳ ୮ଟାରୁ ସାଢ଼େ ୮ଟା ମଧ୍ୟରେ ପୋଷ୍ଟାଲ ବାଲଟ ଗଣତି ହେବ । ପରେ ଇଭିଏମ ଗଣତି ଆରମ୍ଭ କରାଯିବ ।

ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗଣତି ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଓ ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ ।

ଜିଲ୍ଲା ସଂସ୍କୃତି ଭବନଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଓ ଭଦ୍ରକ ଏସପି ଚରଣ ସିଂ ମିନା । ଭୋଟ ଗଣତି କେନ୍ଦ୍ରର ୧୦୦ ମିଟର ଦୂରରେ ଗାଡି ପାର୍କିଂ ହେବ । ଯେଉଁ ମାନେ ଅଥରଟି କାର୍ଡ ରାଜ୍ୟ ନିର୍ବାଚନ ଅଧିକାରୀ କିମ୍ବା ଜିଲ୍ଲା ନିର୍ବାଚନୀ ଅଧିକାରୀମାନଙ୍କ ଠାରୁ ପାଇଥିବେ, ସେମାନେ ହଁ କେବଳ ଗଣତି କେନ୍ଦ୍ର ପରିସରକୁ ଯାଇ ପାରିବେ ବୋଲି ଏସପି କହିଛନ୍ତି ।

Comments are closed.