ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ମାସସାରା ହବିଷ ବ୍ରତ କରାଯାଏ। ଏହି ମାସରେ ଆମିଷ ସମ୍ପୂର୍ଣ୍ଣ ବର୍ଜ୍ୟ ହେଇଥାଏ।କୁହାଯାଏ କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ(ପଞ୍ଚୁକ)ରେ ବଗ ବି ଆମିଷ ଖାଏନି।ପୌରାଣିକ ମତରେ ଅସୁର ଠାରୁ ଚାରି ବେଦ ଙ୍କୁ ଉଦ୍ଧାର କରିବାକୁ ଭଗବାନ ବିଷ୍ଣୁ ସମୁଦ୍ର ଭିତରେ ପ୍ରବେଶ କରିଥିଲେ।ତାଙ୍କସହ ଦେବତାମାନେ ବି ଜଳରେ ପ୍ରବେଶ କରିଥିଲେ। ସେହି ସମୟ ଟି ଥିଲା କାର୍ତ୍ତିକମାସ।ତେଣୁ କାର୍ତ୍ତିକ ମାସରେ ମାଛ ଖାଇବାକୁ ବାରଣ କରା ଯାଇଚି।ବୈଜ୍ଞାନିକ ତଥ୍ୟ ଅନୁସାରେ କାର୍ତ୍ତିକ ମାସରେ ମାଛମାନଙ୍କ ଦେହ ରେ ଏକପ୍ରକାର ଘାଆ ହୋଇଥାଏ। ତେଣୁ ମାଛ ଖାଇଵାକୁ ବାରଣ କରାଯାଇଚି।
କାର୍ତ୍ତିକ ମାସ ରେ ଖାଦ୍ୟ ପେୟ ର ଏକ ବିଶେଷତା ଥାଏ।ଏହାକୁ ହବିଷ କୁହାଯାଏ।ଅରୁଆ ଭାତ ଡାଲମା, ଓଉଖଟା, ସାରୁଶାଗ, ଅଗସ୍ତି ଶାଗ ଏହି ହବିଷ ର ଅନ୍ତର୍ଗତ।ହବିଷ ଡାଲମା ର ସାମଗ୍ରୀ ଓ ପ୍ରସ୍ତୁତ ପ୍ରଣାଳୀ ବି ସ୍ବତନ୍ତ୍ର।ଚୋପା ଲାଗିଥିବା ଗୋଟାମୁଗ ରେ ଡାଲି କରିବା କିଛି ବ୍ରାହ୍ମଣ ଶାସନ ରେ ପ୍ରଚଳିତ।ପ୍ରାୟତଃ ମୁଗଡାଲି,ସାରୁ,କଦଳୀ,କନ୍ଦମୂଳ, ଅଦା,ନଡ଼ିଆ, ଗୁଆଘିଅ,ଓଉ, ଲୁଣ ହିଁ ବ୍ୟବହାର ହେଇଥାଏ।ଏହା ବ୍ୟତୀତ ଅନ୍ୟ ପରିବା,ଫୁଟଣ,ହଳଦୀ ନିଷିଦ୍ଧ ହବିଷ ରେ।ଧର୍ମିୟ ଭାବନା ସହ କିଛି ବୈଜ୍ଞାନିକ କାରଣ ବି ଜଡ଼ିତ ଅଛି ହବିଷ ଖାଇବା ରେ।କାର୍ତ୍ତିକ ମାସରେ ପିତ୍ତ ଓ କଫ ର ପ୍ରକୋପ ଅଧିକ ଥାଏ।ତେଣୁ ଖାଦ୍ୟ ରେ ହଳଦୀ ଓ ଅନ୍ୟାନ୍ୟ ପିତା ଦ୍ରବ୍ୟ କୁ ବାରଣ କରା ଯାଇଚି।କଫ ନିବାରଣ ପାଇଁ ଅଦା ଓ ଗୁଆଘିଅ ର ବହୁଳ ବ୍ଯବହାର କୁ ପ୍ରୟୋଗ କରା ଯାଇଚି।ଯଦିଓ ଓଡିଶା ରେ ବିଧବା ମାନଙ୍କ ପାଇଁ କାର୍ତ୍ତିକ ବ୍ରତ ଓ ହବିଷ ବାଧ୍ୟତାମୂଳକ କରା ଯାଇଚି,ଏହା ସମସ୍ତେ ପାଳନ କରିବା ଉଚିତ।
ପୂର୍ଣ୍ଣିମା ଦିନ ଡଙ୍ଗା ଭସା ଅତି ଉତ୍ସାହ ର ସହ ପାଳନ କରାଯାଏ। ବାଣିଜ୍ୟେ ବସତେ ଲକ୍ଷ୍ମୀ।ଅତୀତରେ ଓଡ଼ିଆ ସାଧବ ମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ନେଇ ବେପାର ବଣିଜ କରିବାକୁ ଯାଉଥିଲେ।ସେଇ ସ୍ମୃତି କୁ ମନେ ପକେଇବାକୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ନାଆ ଭସା ଯାଉଚି।କଦଳୀ ଗଛର ଛେଲା ରେ ନାଆ ତିଆରି ହେଇ ସେଥିରେ ପାନ ଗୁଆ,ମୁଗ, ବିରି ,ଘିଅଦୀପ ରଖି ନଦୀ ପୋଖରୀ ରେ ଭସାଯାଏ। ଆଜିକାଲି ସୋଲ ଓ କାଗଜ ରେ ସୁନ୍ଦର ସୁନ୍ଦର ଡଙ୍ଗା ତିଆରି ହୋଇ ବିକ୍ରି ହେଉଚି।ନାଆ ଭସେଇବା ବେଳେ କୁହା ଯାଏ ,” ଆ କା ମା ବୈ,ପାନ ଗୁଆ ଥୋଇ,ପାନ ଗୁଆ ତୋର,ମାସକ ଧରମ ମୋର”।
ଏହା କହିବାର ତାତ୍ପର୍ଯ୍ୟ ହେଲା,,ଆଷାଢ଼, କାର୍ତ୍ତିକ, ମାଘ,ବୈଶାଖ, ଏହି ଚାରି ମାସ କୁ ଧର୍ମ ମାସ କୁହାଯାଏ।ଏହି ଚାରି ମାସରେ ନଦୀ ପୋଖରୀ ରେ ଗାଧେଇ ହବିଷ କଲେ ଧର୍ମ ହେଇଥାଏ।ନଦୀ ପୋଖରୀରେ ଗାଧେଇଲେ ପାପ ମୋଚନ ହେଇ ଥାଏ।ଯେହେତୁ ନଦୀ ପୋଖରୀ ସବୁ ପାପ ଧୋଇ ଦିଅନ୍ତି ,ତେଣୁ ଦକ୍ଷିଣା ସ୍ୱରୂପ ତାଙ୍କୁ ପାନ ଗୁଆ ଦିଆ ଯାଇଥାଏ।ସେଥିପାଇଁ କୁହାଯାଇଛି ପାନ ଗୁଆ ତୋର,ମାସକ ଧରମ ମୋର।
ଆଉ କେତେକ କହିଥାନ୍ତି “ଆ,କା,ମା,ଭୈ”।ଆ -ଆକାଶ, କା-ଜଳ,ମା-ନାହିଁ, ଭୈ-ଭୟ।ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପରେ ଆଉ ପବନ ବର୍ଷା ର ଭୟ ନାହିଁ।
ପୌରାଣିକ ଗାଥା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା କୁ ମଧ୍ୟ ଶରତ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା କୁହାଯାଇ ଥାଏ। ଶ୍ରୀମଦ ଭାଗବତ ବର୍ଣ୍ଣନା ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଶ୍ରୀଧାମ ବୃନ୍ଦାବନ ରେ ମହାରାସ ରଚନା କରିଥିଲେ। ରାସ ମାନେ ଆତ୍ମା ପରମାତ୍ମା ଙ୍କ ସହ ମିଳନର ମୁହୂର୍ତ୍ତ। ସେହି ମିଳନରେ କାମ ର ବାସନା ନଥାଏ। ଏହି ଶରତ ପୂର୍ଣ୍ଣିମାର ପୁଣ୍ୟ ଲଗ୍ନରେ ଭଗବାନ ଶ୍ରୀକୃଷ୍ଣ ପ୍ରତ୍ୟେକ ଗୋପୀମାନଙ୍କୁ ଅଙ୍ଗୀକାର କରି ଦିବ୍ୟ ଶରୀର ପ୍ରଦାନ କରିଥିଲେ। ରକ୍ତମାଂସ ରେ ଗଢ଼ା ଏ ବିନାଶଶୀଳ ଶରୀର ଦିବ୍ୟ ଶରୀର ରେ ରୂପାନ୍ତରିତ ହୋଇ ମାନବ ଜୀବନକୁ ସାର୍ଥକ କରାଇଥିଲା। ତେଣୁ ଧର୍ମରେ ବିଶ୍ୱାସ ରଖୁଥିବା ପ୍ରତ୍ୟେକ ନରନାରୀ ଆଜିର ଏ ପୁଣ୍ୟ ଦିବସରେ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ରଙ୍କୁ ସ୍ମରଣ କରି ପ୍ରାତଃ ସ୍ନାନ କରିବା ସହିତ ସନ୍ଧ୍ୟାରେ ରାସ ପଞ୍ଚାଧ୍ୟାୟ ପାଠ କରି ନିଜ ଅନ୍ତର ର ଶ୍ରଦ୍ଧା ଓ ଭକ୍ତି ଭଗବାନ ଙ୍କୁ ନିବେଦନ କରିଥାନ୍ତି।
Comments are closed.