ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବଡ ସଫଳତା: ନୂଆ ଜୀବନ ପାଇଲା ୧୦ ମାସର ସାକ୍ଷୀ

ସମ୍ବଲପୁର: ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ ଯୋଜନାରେ ସମ୍ବଲପୁର ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ ଯୋଗୁଁ ଆଜି ଜଣେ ୧୦ ମାସର ଶିଶୁକନ୍ୟା ସାକ୍ଷୀ ରୋହିଦାସ ନୂଆ ଜୀବନ ପାଇଛି। କୋଲକାତାର ରବୀନ୍ଦ୍ରନାଥ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ କାର୍ଡିଆକ ସାଇନ୍ସରେ ତାର ଜଟିଳ ହାର୍ଟ ଅସ୍ତ୍ରୋପଚାର ହେବା ପରେ ବର୍ତ୍ତମାନ ସଂପୂର୍ଣ୍ଣ ସୁସ୍ଥ ଅଛି।

ଆରବିଏସକେ ମ୍ୟାନେଜରଙ୍କ ସୂଚନା ଅନୁସାରେ ଝାରସୁଗୁଡ଼ାର ଝିଲିମା ରୋହିଦାସ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ରହୁଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିବା ବେଳେ ତାର ନାଁ ସାକ୍ଷୀ ରଖିଥିଲେ। ହେଲେ ସାକ୍ଷୀ ଜନ୍ମରୁ ଜଟିଳ ହୃଦରୋଗ ଅବଷ୍ଟ୍ରକଟେଡ ସପ୍ଟକାର୍ଡିଆକ୍ ଟିଏପିଭିସି ରେ ପୀଡିତ ଥିବା ଜଣାପଡିଥିଲା। ଏଥିପାଇଁ ସେ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ଅନୁଭବ କରିବା ସହ ତାର ଅବସ୍ଥା ଗୁରୁତର ହେବାରେ ଲାଗିଥିଲା। କୁଚିଣ୍ଡାର ଆରବିଏସକେର ଭ୍ରାମ୍ୟମାଣ ଟିମ୍ ଏନେଇ ସୂଚନା ପାଇ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାକୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିବା ବେଳେ ପରିବାର ଲୋକେ ଭୁବନେଶ୍ବର ଓ ରାୟପୁରର ବିଭିନ୍ନ ଘରୋଇ ହସ୍‌ପିଟାଲ ନେଇ ନିରାଶ ହୋଇ ଫେରିଥିଲେ। ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସାକ୍ଷୀକୁ କୋଲକାତାସ୍ଥିତ ଉକ୍ତ ହସ୍‌ପିଟାଲକୁ ପଠାଇଥିଲେ। ଗତ ୨୮ ତାରିଖରେ ସେ ମେଡିକାଲରେ ଭର୍ତ୍ତି ହେବା ପରେ ତାର ଓପନ ହାର୍ଟ ସର୍ଜରି କରାଯାଇଛି। ଆଉ ମାତ୍ର ୧୦ ମାସ ଓ ୩ ଦିନର ଏହି ଶିଶୁ ଦେହରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର ହେବା ପରେ ସାକ୍ଷୀ ସଂପୂର୍ଣ୍ଣ ସୁସ୍ଥ ରହିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ସଫଳତାକୁ ନେଇ ବେଶ ଉତ୍ସାହିତ ଥିବା ବେଳେ ଜିଲ୍ଲା ପ୍ରଶାସନକୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟୁଛି। ଆଜି ସାକ୍ଷୀ କୋଲକାତାରୁ ଘରକୁ ଫେରୁଥିବା ବେଳେ ଏହି ଖୁସି ଖବର ସୋସିଆଲ ମିଡିଆରେ ସବୁ ପ୍ରଶାସନିକ ସ୍ତରରେ ପ୍ରଶଂସିତ ହେବାରେ ଲାଗିଛି।

Comments are closed.