ଚାଲି ଚାଲି ବଡ଼ ଦେଉଳ ଗଲେ ରାଷ୍ଟ୍ରପତି, ଅପରାହ୍ନରେ ଭୁବନେଶ୍ବର ପହଞ୍ଚିବେ

ଭୁବନେଶ୍ୱର: ଦେଶର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ ପରେ ନିଜର ପ୍ରଥମ ଓଡ଼ିଶା ଗସ୍ତ ଆରମ୍ଭରୁ ନିଆରା ଛାପ ଛାଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଆଙ୍କ ଆରାଧ୍ୟ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ତଥା ପଦାଧିକାରୀ ବିଧିବଦ୍ଧ ସ୍ବାଗତ ଜଣାଇଥିଲେ। ଏହା ପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି ପୁରୀରେ ପହଞ୍ଚିଥିଲେ। ତେବେ ସ୍ବତନ୍ତ୍ର କାରକେଡ୍ ଯୋଗେ ସେ ବଡ଼ ଦେଉଳ ଯିବା ବାଟରେ ବଳଗଣ୍ଡି ଛକରୁ ଶ୍ରୀମନ୍ଦିର ଅଭିମୁଖେ ପାଦରେ ଚାଲି ଚାଲି ଯାଇଛନ୍ତି ରାଷ୍ଟ୍ରପତି। ସିଂହଦ୍ବାର ନିକଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜଙ୍କ ଉପସ୍ଥିତିରେ ବିଧିବଦ୍ଧ ସ୍ବାଗତ ପରେ ସେ ବାଇଶି ପାହାଚରେ ମୁଣ୍ଡିଆ ମାରି ଥିଲେ। ପ୍ରାୟ ୪୫ ମିନିଟ୍ କାଳ ସେ ଶ୍ରୀମନ୍ଦିରରେ ବିତାଇବା ସହ ତିନି ଠାକୁରଙ୍କ ଦର୍ଶନ ସାଙ୍ଗକୁ ବିଭିନ୍ନ ମନ୍ଦିର ଓ ବେଢ଼ା ପରିକ୍ରମା କରିଥିଲେ। ମନ୍ଦିରରୁ ଫେରି ପୁରୀ ରାଜଭବନରେ ଅବଢା଼ ସେବନ କରି ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ବର ଫେରିଥିଲେ।

ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ କେତେକ ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସ୍ଥାନୀୟ ରାଜଭବନରେ ରାଷ୍ଟ୍ରପତିଙ୍କ ରାତ୍ରଭୋଜନ କରିବା ସହ ରାତ୍ରିଯାପନ କରିବେ। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଗଣ, ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ, ବରିଷ୍ଠ ଅଧିକାରୀମାନେ ମଧ୍ୟ ରାତ୍ରଭୋଜନରେ ସାମିଲ ହେବେ।ଶୁକ୍ରବାର ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରି ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ।

Comments are closed.