ବିନାୟକ ଆଚାର୍ଯ୍ୟ କଲେଜ ରାଗିଂ : ତଡା ଖାଇବେ ୧୨ ଛାତ୍ର, ୫ ଗିରଫ

ବ୍ରହ୍ମପୁର – ରାଗିଂ ପାଇଁ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜରୁ ତଡ଼ା ଖାଇବେ ରାଗିଂ କରିଥିବା ୧୨ ଛାତ୍ର। କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌ କହିଛନ୍ତି, ଭାଇରାଲ୍‌ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ତଡ଼ାଯିବ। ଏ ଯାଏଁ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୨ ନାବାଳକ ଅଭିଯୁକ୍ତଙ୍କୁ ବାଳସୁଧାର ଗୃହ ପଠା ଯାଇଛି। ରାଗିଂରେ ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି କହିଛନ୍ତି।

ବିନାୟକ ଆଚାର୍ଯ୍ୟ କଲେଜ କ୍ୟାମ୍ପସ୍‌ରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କେତେକ ଛାତ୍ରଛାତ୍ରୀ ରାଗିଂ କରୁଥିଲେ। ଯୁକ୍ତ ତିନି ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କୁ ଚୁମ୍ବନ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ଭୟରେ ଛାତ୍ରୀଙ୍କୁ ଚୁମ୍ବନ ଦେଉଥିଲେ ଓ ଆଇ ଲଭ୍‌ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀମାନେ ଅଶ୍ଲୀଳ ଭାଷାରେ ଗାଳି ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓଟି ପୋଲିସ୍‌ ପାଖରେ ବି ପହଞ୍ଚିଲା।

ରାଗିଂ ଭିଡିଓଟି ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ପୋଲିସ୍‌ ନିଜ ଆଡୁ ମାମଲା ରୁଜୁ କରିଥିଲା।

Comments are closed.