ବ୍ରହ୍ମପୁର ମହାନଗରରେ ହେବ ବସ୍ତିବାସିନ୍ଦାଙ୍କ ସାମୂହିକ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: ମହାନଗର ବାସିନ୍ଦା ବିଶେଷ କରି ବସ୍ତି ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଦିଗରେ ଆଉ ପାଦେ ଆଗେଇ ଯାଇଛି ବିଏମସି। ଶନିବାରରୁ ବ୍ରହ୍ମପୁର ମହାନଗରରେ ଆରମ୍ଭ ହେବାକୁ ଯାଉଛି ସାମୂହିକ ସ୍ବାସ୍ଥ୍ୟ ପରୀକ୍ଷା ଅଭିଯାନ ‘ଆରୋଗ୍ୟମ୍’। ୭୬ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅଭିଯାନ ଦ୍ବାରା ୧୬୩ ବସ୍ତିର ୮୦ ହଜାରରୁ ଅଧିକ ବାସିନ୍ଦା ଉପକୃତ ହୋଇପାରିବେ। ଅସ୍ଵାସ୍ଥ୍ୟକର ପରିବେଶ ଯୋଗୁଁ ସେମାନେ ନିଜ ଜ୍ଞାତସାର ବା ଅଜାଣତରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ‘ଆରୋଗ୍ୟମ୍’ ଜରିଆରେ ସମସ୍ତ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଏଭଳି ରୋଗୀଙ୍କୁ ଚିହ୍ନଟ କରି ପରବର୍ତ୍ତୀ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଦିଗରେ ପଦକ୍ଷେପ ନିଆଯିବ। ଶନିବାରରୁ ସାମୂହିକ ସ୍ବାସ୍ଥ୍ୟ ପରୀକ୍ଷା ଓ ରୋଗ ନିଦାନ ଓ ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ବସ୍ତି ନିମନ୍ତେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ୧୯ଗୋଟି ଦଳ ଗଠନ କରାଯାଇଛି। ଆବଶ୍ୟକ ଉପକରଣ ବ୍ୟବସ୍ଥା କରାଯାଇଛି। ଟିମ୍ ବସ୍ତିରୁ ବସ୍ତିକୁ ଯାଇ ଲୋକମାନଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ଓ ନମୁନା ସଂଗ୍ରହ କରିବ। ନମୁନା ପରୀକ୍ଷା ରିପୋର୍ଟ ହିତାଧିକାରୀଙ୍କ ମୋବାଇଲକୁ ପଠାଇ ଦିଆଯିବ।

Comments are closed.