ଉପନିର୍ବାଚନ ବେଳେ ବିଜେଡିକୁ ଛୁଟୁଛି ଅନ୍ୟ ଦଳର ନେତାଙ୍କ ସୁଅ

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ ହୋଇଛି। ଆଉ ସବୁ ଦଳ ସେମାନଙ୍କ ପ୍ରଚାରକୁ ବି ଜୋରଦାର କଲେଣି। ଏଭଳି ସ୍ଥିତିରେ ଗତ ସପ୍ତାହେ ମଧ୍ଯରେ ଏକାଧିକ ମିଶ୍ରଣ ପର୍ବରେ ବିଜେଡି ତାର ସାଂଗଠନିକ ସ୍ଥିତିକୁ ଆହୁରି ମଜବୁତ କରି ଦେଇଥିବା ପରିଲକ୍ଷିତ ହୋଇଛି। ଗତ ସପ୍ତାହେ ମଧ୍ଯରେ ବିଭିନ୍ନ ଏକାଧିକ ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ଦଳର ପ୍ରାୟ ୩ ହଜାରରୁ ଅଧିକ ଛାମୁଆ ନେତା ଓ କର୍ମୀ ବିଜେଡିରେ ସାମିଲ ହେଲେଣି। ସେଥିରେ ଶତାଧିକ ଜିଲ୍ଲା ଓ ବ୍ଲକସ୍ତରର ନେତା ସାମିଲ ଅଛନ୍ତି। ଖାଲି ସେତିକି ନୁହେଁ, ୪୦ରୁ ଅଧିକ ବର୍ତ୍ତମାନ ଓ ପୂର୍ବ ସରପଞ୍ଚ, ସମିତି ସଭ୍ଯ ସାମିଲ ଅଛନ୍ତି।

ଧାମନଗର ଉପନିର୍ବାଚନର ପରାଜୟର ବଦଲା ନେବା ଲକ୍ଷ୍ୟରେ ବିଜେଡି ଅଣ୍ଟା ଭିଡି ପୁରା ଦମ୍ ଲଗାଇ ଦେଇଛି। ପଦ୍ମପୁରରେ ବର୍ତ୍ତମାନ ଦଳର ବହୁ ଛାମୁଆ ନେତା ଏକାଠି ହୋଇ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ପ୍ରତିଦିନ ନିର୍ବାଚନ ମଣ୍ଡଳୀର ତିନୋଟିଯାକ ବ୍ଳକ ପଦ୍ମପୁର, ଝାରବନ୍ଧ ଓ ପାଇକମାଲର ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଦଳର ମିଶ୍ରଣ ପର୍ବ ଚାଲୁଥିବା ଦେଖିବାକୁ ମିଳୁଛି। ଏଥିରେ ପୂର୍ବତନ ବ୍ଲକ କଂଗ୍ରେସ ଅଧ୍ୟକ୍ଷରୁ ଆରମ୍ଭ କରି ବିଜେପିର ଅନେକ ଜିଲ୍ଲା ଓ ବ୍ଲକର ପଦପଦବିରେ ଥିବା ନେତା ଦଳରେ ଯୋଗ ଦେଇସାରିଛନ୍ତି। ଗୁରୁତ୍ବପୂର୍ଣ କଥା ହେଉଛି ଯେ, ବରଗଡ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇଙ୍କ ଦଳରେ ଯୋଗଦାନ ବିଜେଡିକୁ ଅଧିକ ସଶକ୍ତ କରିଥିବା ଚର୍ଚ୍ଚା ହେଉଛି। ପଦ୍ମପୁର ଉପଖଣ୍ଡ କୁଲତା ଜାତିବହୁଳ ହୋଇଥିବା ବେଳେ ଶ୍ରୀ ବଢେଇ ଜାତି ସଂଗଠନରେ ବି ପତିଆରା ରଖି ଆସିଥିଲେ। ଖାଲି ସେତିକି ନୁହେଁ, ନିଜ ପ୍ରଶାସନିକ କର୍ତ୍ତବ୍ଯ ସମେତ ପଦ୍ମପୁର ଉପଖଣ୍ଡରେ ସମାଜସେବାରେ ସେ ଏକ ସ୍ବତନ୍ତ୍ର ଛାପ ରଖିଆସିଛନ୍ତି। ଗତ କରୋନା ମହାମାରୀ ବେଳେ ଗରିବ ଓ ଅସହାୟ ଲୋକଙ୍କୁ ଲଗାତାର ସହଯୋଗର ହାତ ବଢ଼ାଇ ସେ ଅଞ୍ଚଳରେ ପ୍ରିୟଭାଜନ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କ ସହ ଦୁଇ ଶହରୁ ଅଧିକ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦଳରେ ସାମିଲ ହେବା ପରେ ଏହା ବିଜେପି ଓ କଂଗ୍ରେସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିବା କୁହାଯାଉଛି। ସେପଟେ ନିର୍ବାଚନ ପୂର୍ବରୁ ଦଳରେ ଆହୁରି ଅନେକ ନେତା ସାମିଲ ହେବାକୁ ଯାଉଥିବା ନେଇ ଦଳ ସୂତ୍ରରୁ ସୂଚନା ମିଳିଛି।

Comments are closed.