କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ଦାବି କରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପରେ ସେମାନଙ୍କ ହିତ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଜିଏସଟି ପରିଷଦର ଅଧ୍ୟକ୍ଷା ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ପ୍ରାୟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବାଇଣ୍ଡର ଓ ଋତୁକାଳୀନ ଶ୍ରମିକମାନଙ୍କ ପାଇଁ ଲଘୁ ବନଜାତ ଉତ୍ପାଦ ଆର୍ଥିକ ମେରୁଦଣ୍ଡ। ଏ କ୍ଷେତ୍ରରେ କାମ କରୁଥିବା ଅଧିକାଂଶ ଲୋକ ଗରିବ ଜନଜାତି ସଂପ୍ରଦାୟର। ଅନୁସୂଚିତ ଜନଜାତି ଓ ଅନ୍ୟ ପାରମ୍ପରିକ ବନବାସୀ ଅଧିନିୟମ ୨୦୦୬ ଅଧୀନସ୍ଥ ପ୍ରଦତ୍ତ ଅଧିକାର ଅନୁସାରେ ଜନଜାତି ଲୋକେ ଜଙ୍ଗଲରୁ କେନ୍ଦୁପତ୍ର ସଂଗ୍ରହ କରନ୍ତି ।

ଏହା ସେମାନେ ବିକ୍ରି କରିବା ପାଇଁ ବି ଅଧିକାର ପ୍ରାପ୍ତ। ୧୮ ପ୍ରତିଶତ ଜିଏସଟି କେନ୍ଦୁପତ୍ର ବ୍ୟବସାୟକୁ ଗଭୀର ଭାବେ ପ୍ରଭାବିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ଜିଏସଟି ଦ୍ବାରା ଅନେକ ଜୀବନଜୀବିକା ପ୍ରଭାବିତ ହେଉଛି । ଏଥିସହ ତୋଳାଳୀ ଓ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ମଧ୍ୟ ପ୍ରଭାବିତ ହେଉଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଜିଏସଟି ପ୍ରତ୍ୟାହାର ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.