ଏୟାରଟେଲ ଗ୍ରାହକଙ୍କୁ ଝଟକା, ଓଡ଼ିଶାରେ ବନ୍ଦ ହେଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ | News Room Odisha

ଏୟାରଟେଲ ଗ୍ରାହକଙ୍କୁ ଝଟକା, ଓଡ଼ିଶାରେ ବନ୍ଦ ହେଲା ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ ଗ୍ରାହକଙ୍କ ପାଇଁ ଖରାପ ଖବର । ହରିୟାଣା ଏବଂ ଓଡ଼ିଶାରେ ଏୟାରଟେଲ ଏହାର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ (୯୯ ଟଙ୍କା) ବନ୍ଦ କରି ଦେଇଛି। ବର୍ତ୍ତମାନ ଏହି ଦୁଇଟି ରାଜ୍ୟରେ ବେସ୍ ଟାରିଫ୍ ରେ ୫୭ ପ୍ରତିଶତ ବୃଦ୍ଧି ଘଟିଛି। ପ୍ରାୟ ଏକ ବର୍ଷ ବ୍ୟବଧାନରେ ଟେଲିକମ୍ କମ୍ପାନୀ ଗୁଡ଼ିକ ଟାରିଫ୍ ବୃଦ୍ଧି କରିପାରନ୍ତି ବୋଲି ମନେ କରାଯାଉଛି ।

ଏୟାରଟେଲ୍ ହରିୟାଣା ଏବଂ ଓଡିଶା ସର୍କଲରେ ୯୯ ଟଙ୍କାର ସବୁଠୁ ଶସ୍ତା ପ୍ଲାନ୍ ପ୍ରଦାନ କରୁଥିଲା। ୯୯ ଟଙ୍କା ମୂଲ୍ୟର ଏହି ପ୍ଲାନରେ ୨୦୦ ଏମବି ମୋବାଇଲ୍ ଡାଟା ମିଳୁଥିଲା | ଏହି ରିଚାର୍ଜ ପ୍ୟାକର ବୈଧତା ୨୮ ଦିନ ଥିଲା |

୯୯ ଟଙ୍କା ରିଚାର୍ଜ ପ୍ଲାନ୍ ବନ୍ଦ ହେବା ପରେ ବର୍ତ୍ତମାନ ଏହି ଦୁଇ ରାଜ୍ୟରେ ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ୧୫୫ ଟଙ୍କା ମାସିକ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି କମ୍ପାନୀ। ୧୫୫ ଟଙ୍କା ମୂଲ୍ୟର ଏହି ପ୍ଲାନରେ ଅନଲିମିଟେଡ୍ ଭଏସ୍ କଲିଂ, ୧ ଜିବି ଡାଟା ଏବଂ ୩୦୦ ଏସ୍ଏମ୍ଏସ୍ ଭଳି ସୁବିଧା ଉପଲବ୍ଧ ଅଛି | ଏହି ପ୍ୟାକ୍ ର ବୈଧତା ୨୪ ଦିନ |

ହରିୟାଣା ଏବଂ ଓଡିଶା ବ୍ୟତୀତ ଏୟାରଟେଲ ଅବଶିଷ୍ଟ ସର୍କଲରେ ଏହାର ୨ଜି ଗ୍ରାହକଙ୍କ ପାଇଁ ୯୯ ଟଙ୍କା ପ୍ଲାନ୍ ଜାରି ରଖିବ। ଭୋଡାଫୋନ୍ ଆଇଡିଆ ମଧ୍ୟ ଏହାର ଗ୍ରାହକଙ୍କ ପାଇଁ ୯୯ ଟଙ୍କା ପ୍ଲାନ୍ ଉପଲବ୍ଧ କରାଉଛି | ଅନ୍ୟପଟେ ରିଲାଏନ୍ସ ଜିଓର ୨୮ ଦିନ ବୈଧତା ବିଶିଷ୍ଟ ଏକ ୯୧ ଟଙ୍କା ମୂଲ୍ୟର ଏକ ପ୍ଲାନ୍ ରହିଛି । ଏହି ପ୍ଲାନରେ ୨୮ ଦିନ ବୈଧତା ସହ ଅନଲିମିଟେଡ୍ ଭଏସ୍ କଲ୍ ସୁବିଧା ମିଳୁଛି ।