ଆସନ୍ତା ମାସ ଶେଷ ସପ୍ତାହରେ ଗୋପାଳପୁର ବିଚ୍ ଫେଷ୍ଟ୍, ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଗୋପାଳପୁରକୁ ଫେରିବ ବେଳାଭୂମି ମହୋତ୍ସବ। ଅନେକ ବର୍ଷ ବ୍ୟବଧାନରେ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ହେବ ଗୋପାଳପୁର ବିଚ୍ ଫେଷ୍ଟ୍। ବେଳାଭୂମି ମହୋତ୍ସବ ସାଙ୍ଗକୁ ଓରମାସ୍ ଦ୍ବାରା ପଲ୍ଲିଶ୍ରୀ ମେଳା ହେବ। ବିଭିନ୍ନ ବେସରକାରୀ ସଂସ୍ଥା ମଧ୍ୟ ଷ୍ଟଲ୍ ବୁକ୍ କରି ସେମାନଙ୍କ ବ୍ୟବସାୟ କରିପାରିବେ। ମହିଳା ଏସ୍ଏଚ୍‌ଜିଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ହେବ। ପ୍ରତ୍ୟେକ ସନ୍ଧ୍ୟାରେ ଜିଲ୍ଲା ତଥା ରାଜ୍ୟର ଲୋକକଳା ଦଳ ଏବଂ ନାମୀଦାମୀ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ବିଭିନ୍ନ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସେବା ସମ୍ପର୍କିତ ସଚେତନତାମୂଳକ ସୂଚନା ପ୍ରଦର୍ଶିତ ହେବ।

ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ଗୋପାଳପୁର ସ୍ଵତନ୍ତ୍ର ସର୍କିଟ ହାଉସ୍ ଠାରେ ଏ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ହୋଇଥିଲା। ସମସ୍ତ ବିଭାଗକୁ ଏ ନେଇ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ବୈଠକରେ ଷ୍ଟଲ୍ ନିର୍ମାଣ, ରାସ୍ତା ମରାମତି, ଯାତାୟତ, ଟ୍ରାଫିକ୍ ନିୟନ୍ତ୍ରଣ, ଅଗ୍ନିଶମ, ଆଇନଶୃଙ୍ଖଳା, ବିଦ୍ୟୁତ୍ ସେବା, ସ୍ୱାସ୍ଥ୍ୟ ସେବା, ପରିମଳ, ଖାଦ୍ୟର ମାନ ଯାଞ୍ଚ, କଳାକାର ଚୟନ ଆଦି ବାବଦରେ ଆଲୋଚନା ହୋଇଥିଲା।

ସାଂସ୍କୃତିକ କାର୍ଯ୍ୟକ୍ରମ ସକାଶେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ବିଭିନ୍ନ ଜିଲ୍ଲା ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ସ୍ମରଣିକା ପ୍ରକାଶନ ନିମନ୍ତେ ଲେଖକମାନଙ୍କ ଠାରୁ ଜିଲ୍ଲାର ସଂସ୍କୃତି, ବୈଭବ, କଳାକୃତି, ପର୍ଯ୍ୟଟନ ସ୍ଥଳୀ ସମ୍ପର୍କିତ ଲେଖା ସଂଗ୍ରହ କରାଯିବ। ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀ ବେଳାଭୂମି ମହୋତ୍ସବ ସ୍ଥଳ ବୁଲି ଦେଖିଥିଲେ। କେଉଁଠି ମଞ୍ଚ ହେବ, କେଉଁ ସ୍ଥାନରେ ମେଳା ଆୟୋଜିତ ହେବ ତାହା ପରିଦର୍ଶନ କରିଥିଲେ। ପ୍ରଥମ ପ୍ରସ୍ତୁତି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍, ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.