ରାସଗୋବିନ୍ଦପୁର ଏୟାରଷ୍ଟ୍ରିପର ବିକାଶ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଅନୁମତି

ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲା ଅମର୍ଦ୍ଦା ରୋଡ୍ ନିକଟସ୍ଥ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପର ଭିତ୍ତିଭୂମି ବିକାଶ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅନୁମତି ଦିଆଯାଇଛି । ଡିଆରଡିଓ ଅଧୀନରେ ଥିବା ଏହି ଏୟାରଷ୍ଟ୍ରିପକୁ ‘ଉଡାଣ’ ଯୋଜନାରେ ସାମିଲ କରାଯାଇଛି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ-ଏଏଆଇ ଏହାର ପରିଚାଳନା ଦାୟିତ୍ୱରେ ରହିବେ । ଏହି ଏୟାରଷ୍ଟ୍ରିପର ବିକାଶ ପରେ ଭୁବନେଶ୍ୱରରୁ ଏହି ବିମାନ ବନ୍ଦରକୁ ଯିବାଆସିବାର ସୁବିଧା ହୋଇପାରିବ।

ଓଡ଼ିଶା ସରକାରଙ୍କୁ ୨୬.୦୩କୋଟି ଟଙ୍କାର କ୍ଷତିପୂରଣ ରାଶି ବଦଳରେ ୧୬୦.୩୫ ଏକର ସେନା ଜମିରେ ଏୟାରଷ୍ଟ୍ରିପ ବିକାଶ କରିବା ପାଇଁ ଅନୁମତି ଦିଆଯାଇଛି । ଏୟାରଷ୍ଟ୍ରିପରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରିବା ପୂର୍ବରୁ ଏହି ଅର୍ଥକୁ ଭାରତ ସରକାରଙ୍କ କନସୋଲିଡେଟେଡ୍ ପାଣ୍ଠିରେ ଜମା କରିବାକୁ ପଡ଼ିବ । ତେବେ ଏହି ଜମିର ମାପ, ପ୍ରକୃତ ସ୍ଥାନ, ଜମିର ଦର ସହ ଏହାର ହସ୍ତାନ୍ତର ପ୍ରକ୍ରିୟା ସହ ସୁରକ୍ଷା ଦିଗର ନିର୍ଦ୍ଧାରଣ ସହ ସେହି ଜମିରେ ଘରୋଇ ଓ ସରକାରୀ ସମ୍ପତ୍ତି ଥିଲେ ତାକୁ ନଷ୍ଟ ଆଦି ପାଇଁ ଅଫିସରଙ୍କ ସ୍ୱତନ୍ତ୍ର ବୋର୍ଡ ଗଠନ କରିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି । ଏହି ସବୁ କାର୍ଯ୍ୟ ଅନୁମତି ମିଳିବାର ୪ ସପ୍ତାହ ମଧ୍ୟରେ କରିବାକୁ କୁହାଯାଇଛି ।

ଏ ବର୍ଷ ଫେବ୍ରୁଆରୀରେ କେନ୍ଦ୍ର ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଏୟାରଷ୍ଟ୍ରିପରୁ ବ୍ୟବସାୟିକ ବିମାନ ଉଡ଼ାଣ ନିମନ୍ତେ ଡିଆରଡିଓଠୁ ଅନାପତ୍ତି ପ୍ରମାଣପତ୍ର ଲୋଡ଼ିଥିଲେ । ଏପ୍ରିଲ ମାସରେ ଡିଆରଡିଓ ପକ୍ଷରୁ ଏହି ଏୟାରଷ୍ଟ୍ରିପର ବିକାଶ ଓ ଉପଯୋଗ ନିମନ୍ତେ ଅନାପତ୍ତି ପ୍ରମାଣପତ୍ର ଦେବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୁପାରିସ କରାଯାଇଥିଲା।

Comments are closed.