ଜି. ଉଦୟଗିରି: ସ୍କୁଟି- ବାଇକ୍ ଧକ୍କାରେ ୨ ମହିଳା ସରକାରୀ କର୍ମଚାରୀ ମୃତ

ଫୁଲବାଣୀ: ଦ୍ରୁତଗାମୀ ଗାଡ଼ିଚାଳନା କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ୨ ମହିଳା ସରକାରୀ କର୍ମଚାରୀଙ୍କ ଜୀବନ ନେଇଛି। ଦ୍ରୁତ ଗତିରେ ଆସୁଥିବା ବାଇକ୍ ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ନିଜ କାର୍ଯ୍ୟାଳୟକୁ ଯାଉଥିବା ଦୁଇ ମହିଳା ସରକାରୀ କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ଲିଙ୍ଗାଗଡ଼ ସରକାରୀ ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ପ୍ରଦୀପ୍ତା ସାହୁ (୩୪) ଓ କିରାଣି ବିମଳା ପ୍ରଧାନ (୪୭)।

ଦୁହେଁ ଏକ ସ୍କୁଟିରେ ସ୍କୁଲକୁ ଯାଉଥିବା ବେଳେ ନିଲୁଙ୍ଗିଆ ଘାଟିରେ ଶନିବାର ପୂର୍ବାହ୍ନରେ ଏହି ଅଘଟଣ ଘଟିଯାଇଛି। ରାଇକିଆ ପଟୁ ଆସୁଥିବା ଏକ ବାଇକ୍ ଉକ୍ତ ସ୍କୁଟିକୁ ଏଭଳି ଜୋରଦାର ଧକ୍କା ଦେଇଥିଲା ଯେ ଉଭୟ ଗାଡ଼ି ରାସ୍ତାରେ ଦୁଇ ପଟକୁ ଛିଟିକି ପଡ଼ିଥିଲା। ଦୁଇ ମହିଳା କର୍ମଚାରୀ ଓ ବାଇକ୍ ଆରୋହୀ ମଧ୍ୟ ରାସ୍ତାରେ ଗଡ଼ି ପଡ଼ିଥିଲେ। ତିନି ଗୁରୁତରଙ୍କୁ ଜି.ଉଦୟଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଇ ସରକାରୀ ମହିଳା କର୍ମଚାରୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ବାଇକ୍ ଆରୋହୀଙ୍କୁ ଫୁଲଵାଣୀସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିଲା ଓ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

Comments are closed.