ଟୁନା ସାହୁ ହତ୍ୟାକାଣ୍ଡ ମାମଲା ପର୍ଦାଫାସ, ୩ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ମଧ୍ୟପଡ଼ାର ଟୁନା ସାହୁ (୩୭) ହତ୍ୟାକାଣ୍ଡ ମାମଲାର ପର୍ଦାଫାସ ହୋଇଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ବିନୋଦ ବିହାରୀ ସାହୁ (୫୭) ତାଙ୍କ ସ୍ତ୍ରୀ ସନ୍ତୋସିନୀ ସାହୁ (୫୦) ଓ ସମ୍ପର୍କୀୟ କିରଣ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଆକ୍ରମଣରେ ବ୍ୟବହୃତ ଏକ ଟାଙ୍ଗିଆ, ଏକ ବାଇକ ( ଓଡ଼ି୧୭ ଜି ୭୪୪୦) ସହ ଭଙ୍ଗା ମୋବାଇଲ, ମୃତକର ଦରପୋଡା ଚପଲ, ଗଂଜି ଆଦି ଜବତ କରାଯାଇଛି । ଏନେଇ ବରପାଲି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ଉପଖଣ୍ଡ ଅଧିକାରୀ ଅମରୀତ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ପୁଲିସର ସୂଚନା ମତେ ଟୁନା ସାହୁ ଚଳିତମାସ ୧୭ ତାରିଖ ଦିନ ନିଖୋଜ ଥିବା ନେଇ ତାଙ୍କ ସମ୍ପର୍କୀୟ ଭାଇ ବିକାଶ ସାହୁ ବରପାଲି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଗତ ୧୯ ତାରିଖ ଦିନ ୯ନମ୍ବର ୱାର୍ଡ ତଥା କଁଇରାଟିକ୍ରା ସ୍ଥିତ କନ୍ଦାଗାଡ଼ ନାଲ ପୋଲ ତଳେ ଶବ ଉଦ୍ଧାର କରିଥିଲା ବରପାଲି ପୁଲିସ । ଅତ୍ୟନ୍ତ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିଲା । ତେବେ ପୁଲିସର ସାଇନଟିଫିକ ଟିମ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରାଯାଇଥିଲା । ତଦନ୍ତରେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା ।

ପୁଲିସ କହିବା ଅନୁଯାୟୀ ମୃତକ ଟୁନା ଅଭିଯୁକ୍ତ ବିନୋଦ ସାହୁର ଝିଅ ସସ୍ମିତାକୁ ପ୍ରେମ କରୁଥିଲା । ସେ ଘଟଣା ଦିନ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ପରିବାର ଲୋକେ ଜାଣିପାରି ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଟୁନାର ମୃତ୍ୟୁ ଘଟିଥିଲା । ଏହାପରେ ଝିଅର ବାପା ବିନୋଦ ଓ ସମ୍ପର୍କୀୟ କିରଣ ମର ଶରୀରକୁ ବାଇକରେ ନେଇ ସେହି କନ୍ଦାଗାଡ଼ ପୋଲ ତଳେ ଫିଙ୍ଗି ଦେଇ ପଥରରେ ଛେଚି ଦେଇଥିବା ଅଭିଯୁକ୍ତମାନେ ପୁଲିସର ଆଗରେ ନିଜର ବୟାନ ଦେଇଥିବା କହିଛନ୍ତି । ପୁଲିସ ସମସ୍ତ ବୟାନକୁ ରେକର୍ଡ କରି ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କ ନାମରେ ବରପାଲି ଥାନା କେସ ନମ୍ବର ୩୭୫/୨୨ ଅନୁଯାୟୀ ଧାରା ୩୦୨,୨୦୧,୩୪ ଆଇପିସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ସହ ଥାନା ଅଧିକାରୀ ରୋଜାଲିନ ପଟେଲ ଓ ପୁଲିସ ଏସଆଇ ଜେପି ତାଣ୍ଡି ଉପସ୍ଥିତ ଥିଲେ ।

Comments are closed.