ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା ଉତ୍ସବ । ଯିଏ ପରମ ବ୍ରହ୍ମ ନିରାକାର ପରମାତ୍ମା ତାଙ୍କୁ ସାଧାରଣ ଜୀବମାନଙ୍କ ପରି ଶୀତ ଅନୁଭୂତ ହୁଏ । ସତରେ କଣ ଏହା ସମ୍ଭବ କି ? ଯା ଠାରୁ ସମସ୍ତ ସଂସାର ଉତ୍ପନ୍ନ ସେ ଛାର ଶୀତର ଅଧୀନ ହେବା ଆଶ୍ଚର୍ଯ୍ୟର କଥା ନୁହେଁ । ଋତୁ ମାନଙ୍କ ପ୍ରଭାବ ସଂସାରରେ ସମସ୍ତଙ୍କୁ ଉଣା ଅଧିକେ ଅନୁଭୂତ ହୁଏ । ଯାହାଦ୍ବାରା ପ୍ରକୃତିରେ ବିଭିନ୍ନ ପରିବର୍ତ୍ତନମାନ ହୋଇଥାଏ । ପ୍ରତ୍ୟେକ ଋତୁ ଗୁଡିକରେ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ମହାପ୍ରଭୁଙ୍କ ଋତୁ ଅନୁଯାୟୀ ବେଶ ଓ ଉତ୍ସବ ଗୁଡିକ ଅନୁଷ୍ଠିତ ହୋଇଥାଏ । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ ନାମରେ ପରିଚିତ । ଶୀତର ପ୍ରକୋପ କମି ଆସିଲେ ସାଧାରଣ ଲୋକେ ଯେପରି ପତଳା ଋଦର ଓ ଜାମା ପରିଧାନ କରିଥାନ୍ତି, ମହାପ୍ରଭୁ ସେହିପରି ବସନ୍ତ ପଞ୍ଚମୀଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ଜାମା ବା ଟେକାପୋଡ଼ ପରିଧାନ କରିଥାନ୍ତି । । ଶ୍ରୀମନ୍ଦିରରେ ପାଳିତ ହେଉଥିବା ପ୍ରସିଦ୍ଧ ‘ଦ୍ଵାଦଶ ଯାତ୍ରାମାନ’ଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଯାତ୍ରାଭାଗବତରେ ଉଲ୍ଲେଖ ରହିଛି, ମାନବ ସର୍ବାଭିଷ୍ଟ ଫଳପ୍ରାପ୍ତି ନିମନ୍ତେ ଜଗଦୀଶ୍ବରଙ୍କୁ ମାର୍ଗଶିର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଉତ୍ତମ ବସ୍ତ୍ରମାନଙ୍କ ଦ୍ଵାରା ଆଚ୍ଛାଦିତ କରିବା ବିଧେୟ । ସେହିପରି ସ୍କନ୍ଦ ପୁରାଣ, ବାମଦେବ ସଂହିତା ଓ ନୀଳାଦ୍ରିମହୋଦୟାଦି ଗ୍ରନ୍ଥଗୁଡ଼ିକରେ ମଧ୍ୟ ମହାପ୍ରଭୁଙ୍କର ଏହି ପ୍ରିୟ ଯାତ୍ରା ସମ୍ବନ୍ଧରେ ଉଲ୍ଲେଖ ରହିଛି ଏହି ଉତ୍ସବ ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ପାଳିତ ହେଉଥିଲେ ମଧ୍ୟ ଏହାର ଅଧିବାସ ବିଧି ତାହାର ପୂର୍ବଦିନ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ । ପଞ୍ଚମୀ ଦିନ ମହାପ୍ରଭୁଙ୍କର ରାତ୍ର ଚନ୍ଦନଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନମୋହନଙ୍କ କବରି, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧୁବାସ ପାଇଁ ରହିଥାଏ । ଏହା ଆଗରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଗୁନ୍ଦୁଆ ବନ୍ଧା ଯାଇଥାଏ । ପୂଜାପଣ୍ଡାଙ୍କ ଦ୍ଵାରା କଟା ଯାଇଥିବା ତିନିଗୋଟି ମଣ୍ଡଳ ଉପରେ ଋଙ୍ଗଡ଼ାରେ ଘୋଡ଼ମାନଙ୍କୁ ରଖାଯିବା ପରେ ଅଧିବାସ କର୍ମ ବଢ଼ିଥାଏ । ଏହାପରେ ଦ୍ଵାର ବନ୍ଦ କରାଯାଇ ମୁଦ ଦିଆଯାଇଥାଏ । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କର ମୈଲମ ବଢ଼ିବା ପରେ ପାଣିପଡ଼ି ମହାସ୍ନାନ ବଢ଼େ ଏହାପରେ ଠାକୁରମାନେ ଝିନ ପତନି ଲାଗି ହୁଅନ୍ତି । ସର୍ବାଙ୍ଗଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମଣୋହି – ବଢ଼ି ଆଳତି ହେବା ପରେ ପହୁଡ଼ ହୋଇଥାଏ । ଏହି ଦିନ ଅଧୁବାସ ଯୋଗୁଁ ପୁଷ୍ପାଞ୍ଜଳି ଠାକୁର ବିଜେ ହୁଅନ୍ତି ନାହିଁ । ଷଷ୍ଠୀଦିନ ମହାପ୍ରଭୁଙ୍କର ସକାଳଧୂପ ବଢ଼ିବା ପରେ ମୈଲମ ହୁଏ । ଗତ , ଦିନ ଭୋଗମଣ୍ଡପ ଘରେ ଅଧୁବାସିତ ହୋଇଥିବା ଘୋଡ଼ମାନଙ୍କୁ ଘଣ୍ଟ, ଛତା, , କାହାଳି ସହ ପଟୁଆରରେ ବଡ଼ଦେଉଳକୁ ସାଢ଼େ ତିନିବେଢ଼ା ଓ ରତ୍ନସିଂହାସନକୁ ସାଢ଼େ ତିନିବେଢ଼ା, ଏହିପରି ସମୁଦାୟ ସାତବେଢ଼ା ପ୍ରଦକ୍ଷିଣ କରାଇ ରତ୍ନ ସିଂହାସନକୁ ବିଜେ କରାଯାଏ । ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ଼ଲାଗି ବଢ଼ି ଲେ ଛଅମୂର୍ତ୍ତି ଅଳକାଂର ଲାଗିହୋଇ ଶ୍ରୀଅଙ୍ଗରେ ପ୍ରସାଦଲାଗି ବଢ଼ିଲେ ତିନିବାଡ଼ରେ ବନ୍ଦାପନା ହୋଇଥାଏ ।ଏହାପରେ ଅନ୍ୟାନ୍ୟ ନୀତିମାନ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ଅବକାଶ ପରେ, ମଧାହ୍ନଧୂପ ଓ ସନ୍ଧ୍ୟାଧୂପ ପରେ ଘୋଡ଼ଲାଗି ହୁଏ । ଘୋଡ଼ଲାଗି ବେଶରେ ଗଡ଼ା (ସୂତାବସ୍), ଖଣ୍ଡୁଆ ପାଟ, ଭେଲ୍ଭେଟ୍ର ଘୋଡ଼ବସ୍ତ୍ର, ଫୁଟା, ମଫଲର, ଟୋପର ଆଦି, ବ୍ୟବହୃତ ହୋଇଥାଏ । ଏହି ବେଶରେ ଠାକୁରମାନେ ଚୂଳଲାଗି ହୁଅନ୍ତି । ବିଧୁ ଅନୁଯାୟୀ ଠାକୁରମାନେ ପ୍ରତ୍ୟେକ ବାରରେ ଭିନ୍ନ ଭିନ୍ନ ରଙ୍ଗର ଘୋଡ଼ ବସ୍ତ୍ର ଲାଗି ହୋଇଥାନ୍ତି ।
ମହାପ୍ରଭୁଙ୍କ ଘୋଡ଼ଲାଗି ନୀତି :- ମହାପ୍ରଭୁଙ୍କ ଘୋଡ଼ଲାଗି ଷଷ୍ଠୀ ଠାରୁ ଆରମ୍ଭ ହୋଇ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଏହା ମହାପ୍ରଭୁ ଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରୁ ଏହା ହେଉଛି ଅନ୍ୟତମ ଯାତ୍ରା । ସମସ୍ତ ସପ୍ତଧା ବିଗ୍ରହ ସହିତ ଶ୍ରୀକ୍ଷେତ୍ରର ସମସ୍ତ ଦେବାଦେବୀଙ୍କୁ ଘୋଡ଼ଲାଗି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଏହି ଦିନ ନୂତନ ଘୋଡ଼ ପରିଧାନ କରିଥାନ୍ତି । ଏହି ଘୋଡ଼ଲାଗି ପ୍ରାବରଣ ଷଷ୍ଠୀରୁ ଆରମ୍ଭ ହୋଇ ସରସ୍ବତୀ ପୂଜା ପର୍ଯ୍ୟନ୍ତ ପାଳିତ ହୋଇଥାଏ । ସମସ୍ତ ଶିବାଳୟରେ ଓ ଦେବୀ ମନ୍ଦିରରେ ଘୋଡ଼ଲାଗି ପର୍ବ ଅନୁଷ୍ଠିତ ହୋଇଥାଏ । ଘୋଡ଼ ଅନ୍ୟ ନିତିଦିନ ବସ୍ତ୍ର ପରି ଏହା ବାରଲାଗି ବର୍ଣ୍ଣ ହୋଇଥାଏ । ଘୋଡ଼ଲାଗି ବେଶରେ ସୂତା ଗଡ଼ା, ଖଣ୍ଡୁଆ, ପତନୀ, ମଲମଲ ଘୋଡ଼, ଫୁଟା, ଟୋପର ଆଦି ବ୍ୟବହୃତ ହୋଇଥାଏ। ସୋମବାର ଶୁକ୍ଳ, ମଙ୍ଗଳବାର ବାରପାଟିଆ (ପଞ୍ଚରଙ୍ଗି), ବୁଧବାର ସବୁଜ, ଗୁରୁବାର ପୀତ, ଶୁକ୍ରବାର ଧଳା ଛିଟା, ଶନିବାର କଳା ଓ ରବିବାର ନାଲି ରଙ୍ଗର ହୋଇଥାଏ । ପ୍ରତିବର୍ଷ ଏହା ନୂତନ ଭାବେ ନିର୍ମିତ କରାଯାଇଥାଏ । ଶୀତର ପ୍ରକୋପରୁ ରକ୍ଷା ପାଇଁ ମହାପ୍ରଭୁଙ୍କ ଘୋଡ଼ ଲାଗି ନୀତି ଅନୁଷ୍ଠିତ ହୋଇଥାଏ ।
ଜ୍ୟୋତିଷ ଶାସ୍ତ୍ରବିତମାନେ ମହାପ୍ରଭୁଙ୍କର ସାତ ଦିନର ସାତପ୍ରକାର ଘୋଡ଼ରଙ୍ଗକୁ ସାତଗୋଟି ଗ୍ରହର ପ୍ରତୀକ ବୋଲି ଆକଳନ କରିଥାନ୍ତି । ଯାତ୍ରାଭାଗବତରେ କୁହାଯାଇଛି, ଯେଉଁମାନେ ମହାପ୍ରଭୁଙ୍କର ଏହି ନୟନାନନ୍ଦକର ପ୍ରାବରଣ ଯାତ୍ରାକୁ ଦର୍ଶନ କରନ୍ତି, – ସେମାନେ ଚନ୍ଦ୍ର, ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଗର୍ଭବାସ କଷ୍ଟ ଭୋଗନ୍ତି ନାହିଁ ।
‘ପାବୃତଂ ଯେ ଚ ପଶ୍ୟତି
ଦେବଦେବଂ ସନାତନମ୍ ।
ନ ତେ ଗର୍ଭ ଗୃହଂ ଯାନ୍ତି
ଯାବଚ୍ଚନ୍ଦ୍ର ଦିବାକରୌ ।”
ଶ୍ରୀମନ୍ଦିରର ପାରମ୍ପରିକ ଦରଜି ସେବାୟତଙ୍କ ଦ୍ଵାରା ଶୀତ ବସ୍ତ୍ର ପ୍ରସ୍ତୁତ କରାଯାଏ । ଦରଜି ସେବାୟତ ପ୍ରକାଶ ମହାପାତ୍ରଙ୍କ ଦ୍ଵାରା ଠାକୁରଙ୍କ ଘୋଡ଼ ତିଆରି କରାଯାଏ । ପତନୀ , ଗୀତ ଗୋବିନ୍ଦ ପାଟ ଏବଂ ସୂତା ପୁଟା ରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଏ । ଘୋଡ଼ ଲାଗି ବେଶ ପାଇଁ ଚତୁର୍ଦ୍ଧାମୂର୍ତିଙ୍କ ପାଇଁ ଚାରିଟି ଘୋଡ଼ ତିଆରି କରାଯାଏ । ଏଥି ସହିତ ମଦନ ମୋହନ, ସୁଦର୍ଶନ, ଗରୁଡ଼ ,ପତିତପାବନ , ଗୁଣ୍ଡିଚା ମନ୍ଦିର ରେ ବିରାଜିତ ନୃସିଂହ ମହାପ୍ରଭୁ, ସୁର୍ଯ୍ୟଦେବ,ମୁକ୍ତି ମଣ୍ଡପ ପାର୍ଶ୍ଵରେ ବିରାଜିତ ନୃସିଂହ ମହାପ୍ରଭୁ , ଦକ୍ଷିଣ କାଳିକା ଓ କାକୁଡି ଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି କରାଯାଏ । ଶୀତ ଚାରି ମାସ ଏହି ଘୋଡ଼ ଲାଗି ନୀତି ସମ୍ପାଦିତ ହେବ।
(ସଂଗୃହିତ)
Comments are closed.