କାଲିଠାରୁ ‘ମେକ୍ ଇନ୍ ଓଡିଶା କନକ୍ଲେଭ’ର ତୃତୀୟ ସଂସ୍କରଣ: ଦେଶ ବିଦେଶର ନିବେଶକଙ୍କ ପାଇଁ ରାଜ୍ୟ ସରକାରଙ୍କ ରେଡ୍ କାର୍ପେଟ

ଭୁବନେଶ୍ୱର – ଆସନ୍ତାକାଲିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଶ୍ୱର ବଡ଼ ବଡ଼ ଉଦ୍ୟୋଗୀ ଓ ପୁଞ୍ଜିପତିମାନେ ଆସି ରାଜ୍ୟରେ ପୁଞ୍ଜି ନିବେଶର ସମ୍ଭାବନା ଦେଖିବେ । ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିପାଇଁ ସଜେଇ ହୋଇଛି ଜନତା ମଇଦାନ । ଗତ ଦୁଇ ସଂସ୍କରଣର ସଫଳତା ଦେଖିଲେ ଳ ଏଥରର ସମ୍ମିଳନୀ ଏକାଧିକ କୀର୍ତ୍ତିମାନ ରଚିବ ବୋଲି ମତପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଓ ନିବେଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ବହୁପ୍ରତିକ୍ଷିତ ଏହି ନିବେଶକ ସମ୍ମିଳନୀ ବିଶ୍ବ ସମୁଦାୟ ଆଗରେ ଓଡ଼ିଶା ରୂପାନ୍ତରଣର ସଫଳ କାହାଣୀ ଉପସ୍ଥାପନ କରିବ । ଓଡ଼ିଶାରେ ଭରପୂର ରହିଥିବା ସମ୍ଭାବନାକୁ ଉଜାଗର କରିବ । ଖଣି ଓ ଜଳସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶାକୁ ନିୟମିତ ପୁଞ୍ଜି ନିବେଶ ଆସୁଛି । କୋଭିଡ଼ ମହାମାରୀ ବେଳେ ବି ପ୍ରସ୍ତାବ ଆସିଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ ଦେ‌ଶବିଦେଶର ବିଭିନ୍ନ ପୁଞ୍ଜିପତିଙ୍କୁ ଭେଟି ରାଜ୍ୟରେ ଥିବା ଶିଳ୍ପ ସମ୍ଭାବନା ନେଇ ଅବଗତ କରାଇଛନ୍ତି । ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରୁଛନ୍ତି ।

କନକ୍ଳେଭ ପାଇଁ ଆଜିଠୁ ଅତିଥିମାନଙ୍କ ଭୁବନେଶ୍ୱର ଆସିବା ଆରମ୍ଭ ହେବ । ପ୍ରତ୍ୟେକ କ୍ଷେତ୍ରରେ ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ଶିଳ୍ପକୁ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ନେଇ ସୂଚିତ କରିବେ । ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁରୁ ଓ ହାଇଦ୍ରାବାଦରେ ଓଡିଶା ଇନଭେଷ୍ଟର୍ସ ସମ୍ମିଳନୀ କରି ନିବେଶକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।

୨୦୧୬ରେ ୨ଲକ୍ଷ ୩ହଜାର ୨୩୫ କୋଟିର ୮୪ଟି ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨ଲକ୍ଷ ୨୯ହଜାର ୯୪୭କୋଟିର ୫୮ଟି ପ୍ରସ୍ତାବ ପାରିତ ହୋଇଛି । ଅନୁମୋଦିତ ଶିଳ୍ପରେ ଲକ୍ଷେ ୪ହଜାର ୭୬୨ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସେହିପରି ୨୦୧୮ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୪ଲକ୍ଷ ୨୩ହଜାର ୧୧୫କୋଟିର ୨୦୨ଟି ପୁଞ୍ଜିନିବେଶ ପ୍ରସ୍ତାବରୁ ୧୦୮ ଟି ପ୍ରସ୍ତାବ ମଞ୍ଜୁର ହୋଇଥିଲା । ଫଳରେ ୩ଲକ୍ଷ ୯୩ହଜାର ୫୯୭ କୋଟିର ପୁଞ୍ଜିନିବେଶ ସହ ୨ଲକ୍ଷ ୭୬ହଜାର ୭୯୦ଜଣଙ୍କୁ ନିଯୁକ୍ତି ସୁଯୋଗ ପାଇବେ ।
ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ।

Comments are closed.