ବ୍ରହ୍ମପୁର ଅଳଙ୍କାର ଦୋକାନରୁ ଲୁଟ ଘଟଣାରେ ୨ ସେଲସମ୍ୟାନ୍ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଇଲାକାରେ ଥିବା ରମା ଜୁଏଲର୍ସରୁ ଚୋରି ଘଟଣାରେ ସେହି ଅଳଙ୍କାର ଦୋକାନର ୨ ଜଣ ସେଲସମ୍ୟାନଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ବ୍ରହ୍ମପୁର ଫାଷ୍ଟ ଗେଟ୍ କାଶୀନଗରର ନିରଞ୍ଜନ ଦାଶ (୪୨) ଓ ଚମାଖଣ୍ଡି ଥାନା ନରେନ୍ଦ୍ରପୁରର ରାଜେଶ ସେଠି (୩୪)। ବୁଧବାର ଜୁଏଲାର୍ସ ମାଲିକ ପି.ଭେଙ୍କଟରାଓ ପାତ୍ର ତାଙ୍କ ଅଳଙ୍କାର ଦୋକାନରୁ ୪୭୫.୬୮ ଗ୍ରାମ୍ ସୁନା ଗହଣା ଚୋରି ହୋଇଯାଇଛି ବୋଲି ଥାନାରେ ଅଭିଯୋଗ କରିଥିଲେ। ଗତ ୨୫ ତାରିଖରେ ସେ ନିଜ ଦୋକାନର ସମସ୍ତ ଅଳଙ୍କାର ଯାଞ୍ଚ ବେଳେ ଏହା ଜାଣିବାକୁ ପାଇଥିଲେ। ମାଲିକ ଦୁଇ ସେଲସମ୍ୟାନଙ୍କୁ ସୁନା ଫେରାଇବାକୁ ମହଲତ ଦେଇଥିବା ୭ ଦିନ ସମୟ ସରିଥିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହାର ତଦନ୍ତ କରି ଉକ୍ତ ଦୋକାନରେ ଗତ ୭ ବର୍ଷ ଧରି କାମ କରୁଥିବା ନିରଞ୍ଜନ ଓ ରାଜେଶକୁ କାବୁ କରି ପଚରାଉଚରା କରିଥିଲା। ପୋଲିସ ଏହି ଚୋରି ନେଇ ଅଧିକ ଖୋଳତାଡ଼ କରୁଛି।

Comments are closed.