ଆଇନ ମନ୍ତ୍ରୀଙ୍କ ପରେ ‘କଲେଜିୟମ୍ ସିଷ୍ଟମ’କୁ ଉପରାଷ୍ଟ୍ରପତିଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ପରେ ଉପରାଷ୍ଟ୍ରପତି ଜଗଦୀପ ଧନଖର ମଧ୍ୟ ‘କଲେଜିୟମ୍ ସିଷ୍ଟମ’କୁ ଟାର୍ଗେଟ କରିଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି ଯେ ସୁପ୍ରିମକୋର୍ଟ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆଇନକୁ ରଦ୍ଦ କରିଦେଲେ । କିନ୍ତୁ ଏନେଇ ସଂସଦରେ କୌଣସି ଆଲୋଚନା ହେଲାନାହିଁ । ଏହା ଏକ ଗମ୍ଭୀର ମାମଲା ।

ଧନଖର କହିଛନ୍ତି ଯେ ଲୋକଙ୍କର ଇଛାକୁ ଦର୍ଶାଉଥିବା ଏକ ଆଇନ ସୁପ୍ରିମକୋର୍ଟଙ୍କ ଦ୍ବାରା ରଦ୍ଦ କରାଗଲା । ବିଶ୍ୱରେ ଏଭଳି କୌଣସି ଦୃଷ୍ଟାନ୍ତ ନଥିବ । ଉପରାଷ୍ଟ୍ରପତି ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଦାହରଣ ଦେଇ କହିଥିଲେ ଯେ, ଯେତେବେଳେ ଆଇନ ସହ କୌଣସି ବଡ଼ ପ୍ରଶ୍ନ ଜଡିତ ହୋଇଥାଏ, ତେବେ କୋର୍ଟ ଏହାର ତର୍ଜମା କରିପାରିବେ । କିନ୍ତୁ ପୂରା ଆଇନକୁ ରଦ୍ଦ କରାଯିବ ବୋଲି କେଉଁଠି (ସମ୍ବିଧାନରେ) ଲେଖାଯାଇ ନାହିଁ ।

ଭାରତର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ଏଲଏମ ସିଂଘଭି ମେମୋରିଆଲ ଲେକଚର୍ ପ୍ରଦାନ କରି ଧନଖର କହିଛନ୍ତି ଯେ ସମ୍ବିଧାନର ପ୍ରସ୍ତାବନାରେ “ଆମେ ଭାରତର ଲୋକ” ବୋଲି ଉଲ୍ଲେଖ ଅଛି ଏବଂ ସଂସଦ ଲୋକଙ୍କ ଆକାଂକ୍ଷାର ପ୍ରତିଫଳନ। ସେ କହିଛନ୍ତି ଯେ ଏହାର ଅର୍ଥ ହେଉଛି କ୍ଷମତା ଲୋକଙ୍କ ଭିତରେ, ସେମାନଙ୍କର ଜନାଦେଶ ଏବଂ ବିବେକ ମଧ୍ୟରେ ରହିଥାଏ।

ଧନଖର କହିଛନ୍ତି ଯେ ୨୦୧୫-୧୬ ମସିହାରେ ଏନଜେଏସି ଆଇନ ସଂସଦରେ ଗୃହୀତ ହୋଇଥିଲା । କିନ୍ତୁ ଏକ ବୈଧ ମଞ୍ଚ ମାଧ୍ୟମରେ ବ୍ୟକ୍ତ କରାଯାଇଥିବା ଲୋକଙ୍କ କ୍ଷମତାକୁ ଛଡ଼ାଇ ନିଆଗଲା। ଏଭଳି ଦୃଷ୍ଟାନ୍ତ ବିଷୟରେ ବିଶ୍ୱ କେବେ ଜାଣିନଥିବ ।

ଉଲ୍ଲେଖଯୋଗ୍ୟ, ‘କଲେଜିୟମ୍ ସିଷ୍ଟମ’ ବଦଳରେ ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ନୂଆ ଆଇନ ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ପ୍ରଣୟନ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଇଥିଲେ ।

Comments are closed.