ଶିକ୍ଷାକ୍ଷେତ୍ରରେ ରୂପାନ୍ତରଣ ଆଉ ସ୍ୱପ୍ନ ହୋଇ ରହିନାହିଁ, ଏହା ବାସ୍ତବତାରେ ପରିଣତ ହୋଇଛି : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର – ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଉ ସ୍ୱପ୍ନ ନୁହେଁ, ଏହା ବର୍ତ୍ତମାନ ବାସ୍ତବତାରେ ପରିଣତ ହୋଇଛି । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ୫-ଟି ଉପକ୍ରମରେ ରୂପାନ୍ତରଣ ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ସ୍କୁଲଗୁଡ଼ିକୁ ନୂଆ ରୂପ ଦେବା, ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ୫-ଟି ବେଶ୍‍ ଉପାଦେୟ ହୋଇଛି। ଆଜି ଓଡ଼ିଶାର ସରକାରୀ ସ୍କୁଲଗୁଡିକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ହେଉଛି। ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛୁ ବୋଲି ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ସନ୍ଧ୍ୟାରେ ‘ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ’ ଅଧିବେଶନରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସରକାରୀ ସ୍କୁଲର ରୂପାନ୍ତରଣ କରାଯାଇ ଏହାକୁ ଘରୋଇ ବିଦ୍ୟାଳୟଠାରୁ ଉନ୍ନତ ପରିଣତ କରାଯିବା, ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିଅରିଂ ପରି ବୃତ୍ତିଗତ ଶିକ୍ଷାରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ ପରି ବ୍ୟବସ୍ଥା କରାଯାଇଛି। ଆଜି ଆମର ସ୍ମାର୍ଟ ଶ୍ରେଣୀଗୃହ, ସୁ-ବିକଶିତ ଇ-ଲାଇବ୍ରେରୀ, ଅତ୍ୟାଧୁନିକ ଲାବୋରେଟୋରୀ, ଉନ୍ନତ କ୍ରୀଡା ଭିତ୍ତିଭୂମି ଏବଂ ସରକାରୀ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ଅନୁକୁଳ କ୍ୟାମ୍ପସ୍ ରହିଛି। ୫-ଟି ନୀତି ଦ୍ବାରା କରାଯାଇଥିବା ଉନ୍ନତ ବ୍ୟବସ୍ଥା ପରେ ପିଲାମାନଙ୍କ ପାଇଁ ପାଠପଢା କ୍ଷେତ୍ରରେ ବେଶ୍ ଉନ୍ନତି ଆସିଛି। ଏଥି ସହିତ ବର୍ତ୍ତମାନ ରାଜ୍ୟରେ ପୂର୍ବ ଅପେକ୍ଷା ସରକାରୀ ବିଦ୍ୟାଳୟରେ ନାମଲେଖା ବୃଦ୍ଧି ପାଇବାରେ ଲାଗିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଦୂରଦୃଷ୍ଟି ସମ୍ପନ୍ନ ‘ମୋ ସ୍କୁଲ’ ଏବଂ ଓଡିଶା ଆଦର୍ଶ ବିଦ୍ୟାଳୟ ପଦକ୍ଷେପ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଏକ ଦୃଶ୍ୟମାନ ପରିବର୍ତ୍ତନ ଆଣି ଜାତୀୟ ପ୍ଲାଟଫର୍ମରେ ଇତିହାସ ସୃଷ୍ଟି କରିଛି। ଆମର ବିଦ୍ୟାଳୟଗୁଡ଼ିକ ଜାତୀୟ ବିଦ୍ୟାଳୟ ମାନ୍ୟତା ସର୍ବେକ୍ଷଣରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ମୋ ସ୍କୁଲ ପଦକ୍ଷେପ, ବିଶ୍ୱର ସର୍ବବୃହତ ଆଲୁମିନି ସଂଯୋଗ କାର୍ଯ୍ୟକ୍ରମ ମଧ୍ୟରେ ଅନ୍ୟତମ ପାଲଟିଛି। ବର୍ତ୍ତମାନ ୩୦ ଲକ୍ଷରୁ ଅଧିକ ଆଲୁମିନି (ପୁରାତନ ଛାତ୍ରଛାତ୍ରୀ)ସଦସ୍ୟଙ୍କ ସାହାଯ୍ୟରେ ଓଡିଶାର ୫୦ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟକୁ ନବୀକରଣ କରାଯାଉଥିବା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ।

ପ୍ରତ୍ୟେକ ଯୋଗ୍ୟ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ମିଶନ ସହିତ ୩୧୫ ଆଦର୍ଶ ବିଦ୍ୟାଳୟ ଏବଂ ଗୋଟିଏ ଆଇକନ୍ ଓଏଭି ରାଜ୍ୟରେ କାର୍ଯ୍ୟକ୍ଷମ ରହିଛି। ଓଡିଶାର ଭବିଷ୍ୟତ ପିଢି ପାଇଁ ସର୍ବୋତ୍ତମ ଭିତ୍ତିଭୂମି ଯୋଗାଇବା ପାଇଁ ତାଙ୍କ ସରକାର କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.